ଉତ୍କଳସ୍ୟ ସମୋ ଦେଶୋ ନାସ୍ତି ମହୀତଳେ…

ଭୁବନେଶ୍ୱର: କପିଳ ସଂହିତାରେ ବର୍ଣ୍ଣିତ ଅଛି

“ବର୍ଷାଣାଂ ଭାରତଃ ଶ୍ରେଷ୍ଠୋ ଦେଶାନାମୁତ୍କଳଃ ଶ୍ରୁତଃ, ଉତ୍କଳସ୍ୟ ସମୋ ଦେଶୋ ନାସ୍ତି ମହୀତଳେ ॥”

ସେହିପରି କବିବର ରାଧାନାଥ ରାୟ ଉତ୍କଳ ସଂପର୍କରେ ଲେଖିଯାଇଛନ୍ତି-

“ଭାରତ ପଙ୍କଜ ଦଳମିଦ ମୁତ୍କଳ ମଣ୍ଡଳମିତି ବିଦିତଂ ଯତ୍‍ । ତସ୍ୟ କୃତେ ବୟମତ୍ର ସମେତା ବହିତ୍ରୋତ୍କଳ-ସଂସଦ “।

କଳା, ଭାସ୍କର ଓ ସଂସ୍କୃତିରେ ପରିପୂର୍ଣ୍ଣ ଆମ ରାଜ୍ୟ ଓଡ଼ିଶା । ଏହାର ପ୍ରତିଟି କୋଣ ଅନୁକୋଣରେ ଭରି ରହିଛି ଐତିହ୍ୟ ଓ ବୀରତ୍ବର କାହାଣୀ। ଆମ ସଂସ୍କୃତି ଓ ପରମ୍ପରା ସବୁଠୁ ନିଆରା । ପୁଣି ଆମ ନୈତିକତା ଆମକୁ ଅନ୍ୟମାନଙ୍କ ଠାରୁ ଭିନ୍ନ କରି ଗଢି ତଳେ । ଭାରତ ଦେବ ଭୂମି ହେଲେ ଓଡ଼ିଶା ହେଉଛି ଏହାର ପ୍ରାଣ । ଏଠାରେ ଲୋକଙ୍କ ମଧ୍ୟରେ ଏକତା, ଭାଇଚାର ଓ ଜାତୀୟତା ବାଦ୍ ହିଁ ଅନ୍ୟ ରାଜ୍ୟ ମାନଙ୍କ ଠାରୁ ଏହାକୁ ସ୍ୱତନ୍ତ୍ର କରିଥାଏ ।

ନିଜର ଲୀଳା ଖେଳ ଲାଗି ଉତ୍କଳ ମାଟିକୁ ଚୟନ କରିଛନ୍ତି ବିଶ୍ୱନିୟନ୍ତା ସ୍ୱୟଂ ଜଗନ୍ନାଥ । ଏଠାରେ ଜଳ, ବାୟୁ ମାଟି ସବୁ ପବିତ୍ର । ଏହାର ପବନ ପବନରୁ ଭାସି ଆସେ ପବିତ୍ରତାର ମହକ । ଏହି ପୂଣ୍ୟ ଭୂମି ସମ୍ପର୍କରେ ଆସନ୍ତୁ ଜାଣିବା ଆଉ କିଛି ଜଣା- ଅଜଣା କଥା…

ଭାଷା ଭିତ୍ତିକ ରାଜ୍ୟ ଗଠନରେ ଓଡ଼ିଶା ପ୍ରଥମ । ୧୯୩୬ ମସିହାରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ଏହି ରାଜ୍ୟ ଗଠିତ ହୋଇଥିଲା । ତେବେ ବି କିଛି ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଆଜିବି ପଡ଼ୋଶୀ ରାଜ୍ୟରେ ରହିଯାଇଛି ।

ଓଡ଼ିଶାର ପ୍ରାଚୀନ ନାମ ଥିଲା କଳିଙ୍ଗ ।ମହାଭାରତରେ ଏହି ରାଜ୍ୟର ବର୍ଣନା ମଧ୍ୟ ରହିଛି ।

ଦୀର୍ଘ ଦିନ ଧରି ଏହି ରାଜ୍ୟର ନାମ ଉତ୍କଳ ରହିଥିଲା । ୧୦୩୬ ରେ ରାଜନୈତିକ ସୀମା ନିର୍ଦ୍ଧାରଣ ପରେ ରାଜ୍ୟର ନାମ ଓଡ଼ିଶା ରଖାଗଲା ।
ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ବର୍ତ୍ତମାନର ଭାରତ, ପାକିସ୍ତାନ ଓ ଆଫଗାନିସ୍ତାନ ବିଶାଳ ଭୂଖଣ୍ଡକୁ ନେଇ ନିଜର ସାମ୍ରାଜ୍ୟ ବିସ୍ତାର କରି ଇତିହାସରେ ଭାରତର ପ୍ରଥମ ସମ୍ରାଟ ଘୋଷିତ ହୋଇଥିଲେ ହେଁ, ତାଙ୍କ ରାଜ୍ୟରେ କଳିଙ୍ଗ ନଥିଲା ।

ସମ୍ରାଟ ଅଶୋକ ସାରା ଭାରତ ବର୍ଷକୁ ଜୟ କଲାପରେ ଗୋଟିଏ ରାଜ୍ୟ ଅପରାଜୟ ହୋଇ ରହିଥିଲା । ତାହା ହେଉଛି କଳିଙ୍ଗ । ସମୟକ୍ରମେ ସେ କଳିଙ୍ଗକୁ ଆକ୍ରମଣ କରି ଦୟା ନଦୀରେ ବୁହାଇ ଦେଲେ ରକ୍ତର ବନ୍ୟା। ଏହାପରେ ସେ ବିଜୟ ଲାଭ କଲେ ସତ କିନ୍ତୁ ଚାଣ୍ଡାଶୋକ ଅଶୋକ ଧର୍ମାଶୋକକୁ ରୂପାନ୍ତରିତ ହୋଇଗଲେ । ଏହାଥିଲା ପବିତ୍ର କଳିଙ୍ଗର ଶକ୍ତି ।

ଅଶୋକଙ୍କ ପରେ କଳିଙ୍ଗର ରାଜା ମହାମେଘବାହାନ ଐର ଖାରବେଳ ମଗଧ ଓ ଅନ୍ୟ ପଡ଼ୋଶୀ ରାଜ୍ୟ ଜୟ କରି ଗଙ୍ଗା ଠାରୁ ଗୋଦାବରୀ ପର୍ଯ୍ୟନ୍ତ କଳିଙ୍ଗର ସୀମା ବଢ଼ାଇଥିଲେ ଏବଂ ସମ୍ରାଟ ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ ।

କଳିଙ୍ଗ ଯୁଦ୍ଧ ହୋଇ ନଥିଲେ, ବୌଦ୍ଧ ଧର୍ମର ସମ୍ଭବତଃ ବିଲୟ ଘଟିଥାନ୍ତା । କଳିଙ୍ଗ ଯୁଦ୍ଧ ପରେ ମର୍ମାହତ ଅଶୋକ ବୌଦ୍ଧ ଧର୍ମ ଗ୍ରହଣ କରିବା ସହ ନିଜକୁ ସୁଧାରିଥିଲେ ଓ ରାଜ୍ୟଜୟ ନିଶାରୁ ଦୂରେଇ ରହିଥିଲେ । ବୌଦ୍ଧ ଧର୍ମ ରାଜ୍ୟଧର୍ମ ଭାବେ ଘୋଷିତ ହୋଇଥିଲା ଏବଂ ଏହାର ପ୍ରଚାର ପ୍ରସାର ପାଇଁ ଅଶୋକ ଆଗ୍ରହ ଦେଖାଇଥିଲେ ।

ଦକ୍ଷୀଣପୂର୍ବ ସାଗରରେ ଭାରତୀୟ ସଂସ୍କୃତି ପ୍ରଚାର ପ୍ରସାର କଳିଙ୍ଗ ଯୋଗୁଁ ସମ୍ଭବ ହୋଇଛି । କାମ୍ବୋଡିଆ, ଆଲେସିଆ, ଜାଭା, ସୁମାତ୍ରା, ବାଲି, ସିଂହଳ, ବର୍ମା ଓ ଥାଇଲାଣ୍ଡ ଆଦିରେ ଏବେ ବି କଳିଙ୍ଗର ଛାପ ଦେଖିବାକୁ ମିଳେ ।
କଳିଙ୍ଗ ହେଉଛି ବିଶ୍ୱର ହାତଗଣତି ପୂରାତନ ଗଣତନ୍ତ୍ର ମଧ୍ୟରୁ ଗୋଟିଏ ।

ଓଡ଼ିଶାରେ ସର୍ବାଧିକ ୬୨ ଆଦିମ ଜନଜାତି ଅଛନ୍ତି । ପ୍ରତ୍ୟେକଙ୍କର ନିଜର ଭାଷା, ପୋଷାକ ଓ ସଂସ୍କୃତି ରହିଛି ।
ଲୁପ୍ତପ୍ରାୟ ବଣ୍ଡା ଜନଜାତି କେବଳ ଓଡ଼ିଶାର କୋରାପୁଟରେ ଦେଖାଯାଆନ୍ତି ।
ହିନ୍ଦୁ ବିଶ୍ୱାସରେ ଚାରିଧାମ ମଧ୍ୟରୁ ଓଡ଼ିଶାର ପୁରୀ ଅନ୍ୟତମ । ତେବେ ଏହା ଏକମାତ୍ର ଧାମ ଯେଉଁଠି ପୂଜାବିଧିରେ ବୈଷ୍ଣବ, ଶାକ୍ତ, ଶୈବ ଓ ଲୋକସଂସ୍କୃତି (ଶବର)ର ମିଶ୍ରଣ ଦେଖିବାକୁ ମିଳେ ।

ପୁରୀ ଶ୍ରୀମନ୍ଦିର ରୋଷେଇ ଘର ବିଶ୍ୱର ସବୁଠୁ ବଡ଼ ରୋଷେଇ ଘର ଭାବେ ପରିଚିତ । ଏଠାରେ ଗୋଟିଏ ଚୁଲାରେ ଉପରକୁ ଉପର ଏକକାଳୀନ ୭ଟି ପାତ୍ରରେ ରୋଷେଇ ହୁଏ । ଏଠାରେ ୪୦୦ ରାନ୍ଧୁଣିଆ କାର୍ଯ୍ୟ କରନ୍ତି ଓ ପ୍ରତ୍ୟହ ୧୦ ହଜାରରୁ ଅଧିକ ଭକ୍ତ ପ୍ରସାଦ ସେବନ କରନ୍ତି ।
ପୁରୀ ଶ୍ରୀମନ୍ଦିରରେ ବିଭିନ୍ନ ସମୟରେ ମୋଟ ୩୦୦ ପ୍ରକାରରୁ ଅଧିକ ବ୍ୟଞ୍ଜନ ରନ୍ଧାଯାଏଁ । କୌଣସି ବ୍ୟଞ୍ଜନରେ ଆଳୁ ଓ ଟମାଟୋ ବ୍ୟବହୃତ ହୁଏନାହିଁ ।

ଓଡ଼ିଶୀ ନୃତ୍ୟ ଭାରତର ସର୍ବ ପୂରାତନ ନୃତ୍ୟ ଭାବେ ଜଣ । ମନ୍ଦିର ଗାତ୍ର ଓ ପୂରାତନ ସାହିତ୍ୟରେ ଏହାର ବର୍ଣନା ରହିଛି । ତେବେ ଦେଶ ସ୍ୱାଧୀନତା ପରେ ଏହି ନୃତ୍ୟର ନାମକରଣ କରାଯାଇଛି ।

ବିଜ୍ଞାନ କ୍ଷେତ୍ରରେ ବିଶ୍ୱସ୍ତରରେ ଦିଆଯାଉଥିବା କଳିଙ୍ଗ ପୁରସ୍କାର ଓଡିଶା ପକ୍ଷରୁ ଦିଆଯାଏ ଏବଂ ଏହାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ପ୍ରତିଷ୍ଠା କରିଥିଲେ ।

ତାଜମହଲ ନିର୍ମାଣର ବହୁ ପୂର୍ବରୁ ସମୁଦ୍ର ତଟରେ ଓଡ଼ିଶାର କାରିଗରମାନେ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିଥିଲେ । ଏହା ଅନ୍ୟତମ ବିଶ୍ୱ ଐତିହ୍ୟ ।

Leave a Reply

Your email address will not be published. Required fields are marked *