ଏକ ଯୁଗର ଅବସାନ

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତର ଅପ୍ରତିଦ୍ୱନ୍ଦି ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ ଘଟିଛି । ବିଜୟଙ୍କ ପରଲୋକରେ ଓଡ଼ିଆ ସିନେ ଜଗତରେ ଏକ ଯୁଗର ଅବସାନ ଘଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।
ବିଜୟଙ୍କ ଏଣ୍ଟ୍ରି ସହ ଓଲିଉଡ଼ରେ ଆରମ୍ଭ ହୋଇଥିଲା ଏକ ପରିବର୍ତ୍ତନ । ତାଙ୍କ ଫିଲ୍ମ କ୍ୟାରିୟର ବିଜୟପଥରୁ କମ୍ ନୁହେଁ ।
ନୂଆଦିଲ୍ଲୀର ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରୁ ଶିକ୍ଷାପ୍ରାପ୍ତ କରିଥିଲେ ବିଜୟ ମହାନ୍ତି । ୧୯୭୭ ମସିହାରେ ସେ ଚିଲିକା ତୀରେ କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରି, ୧୮୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିବା ସହ ଗୋଟିଏ ଓଡ଼ିଆ କଥାଚିତ୍ରର ନିର୍ଦ୍ଦେଶନା ମଧ୍ୟ ସେ ଦେଇଛନ୍ତି ।
ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟରେ ପଢୁଥିବା ସମୟରେ କାହାଣୀକର ବସନ୍ତ ମହାପାତ୍ରଙ୍କ ଡାକରାରେ “ସଂକଳ୍ପ” ଚଳଚ୍ଚିତ୍ରରେ ଅଭିନୟ କରି କଟକ ଚାଲି ଆସିଥିଲେ । କିନ୍ତୁ ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ହୋଇପାରିନଥିଲା । ୧୯୭୭ ମସିହା ଜାନୁଆରୀ ୧୪ତାରିଖରେ, ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନାଟକ ବିଭାଗର ଅଧ୍ୟାପକ ଭାବରେ ଯୋଗ ଦେଇଥିଲେ ।
ସେହି ବର୍ଷ ବିପ୍ଳବ ରାୟଚୌଧୁରୀଙ୍କ ନିର୍ଦ୍ଦେଶନାରେ ଚିଲିକା ତୀରେରେ ସେ ଅଭିନୟ କରିଥିଲେ । ଚିଲିକା ତୀରେ ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ହୋଇଥିଲେ ମଧ୍ୟ, ନାଗଫାସ ପ୍ରଥମେ ମୁକ୍ତିଲାଭ କରିଥିଲା ।
ନାଗଫାସର ଖଳନାୟକ ଚରିତ୍ର ତାଙ୍କୁ ଆଣିଦେଲା ଏକ ସ୍ୱତନ୍ତ୍ର ପରିଚୟ। ଏହାପରେ ଅଧିକରୁ ଅଧିକ କାମ ମିଳିବାକୁ ଲାଗିଲା । ୧୯୮୩ ମସିହାର କାବେରୀ ଚଳଚ୍ଚିତ୍ରରେ ତାଙ୍କୁ ସକାରାତ୍ମକ ଭୂମିକାରେ ଦେଖିବାକୁ ମିଳିଲା । ଏହାପରେ ବହୁ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଆସି ସେ ନିଜ ବହୁମୁଖୀ ଅଭିନୟ ଦକ୍ଷତା ସାବ୍ୟସ୍ତ କରିପାରିଥିଲେ ।
୧୯୮୭ରେ ଭୁଲି ହୁଏନା ଚଳଚ୍ଚିତ୍ର ମାଧ୍ୟମରେ ସେ ନିର୍ଦ୍ଦେଶନାକୁ ଓହ୍ଲାଇଥିଲେ ।  ସେ ଚଳଚ୍ଚିତ୍ର ସଫଳ ହୋଇପାରିନଥିଲା । ଦୂରଦର୍ଶନରେ ବହୁ ନାଟକରେ ମଧ୍ୟ ସେ ଅଭିନୟ କରିଛନ୍ତି ।
ତାଙ୍କ ଅଭିନୟ ପାଇଁ ସେ ଚଳଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ଆଜି ୭୦ ବର୍ଷ ବୟସରେ ତାଙ୍କର ନିଧନ ଘଟିଛି । ବିଜୟଙ୍କ ଅଭିନୟର ଯାଦୁ ଓଡ଼ିଆ ସିନେପ୍ରେମୀଙ୍କ ମନରେ ତାଙ୍କୁ ସାରା ଜୀବନ ଆମର କରି ରଖିବ ।

Leave a Reply

Your email address will not be published. Required fields are marked *