ନବୀନଙ୍କ ଯୁବ-ଛାତ୍ର ଯୋଦ୍ଧା

ଭୁବନେଶ୍ବର: କୌଣସି ରାଜନୈତିକ ଦଳର ସାଙ୍ଗଠନିକ ଦୃଢ଼ତା ଏହାର ଯୁବଶକ୍ତି ଉପରେ ନିର୍ଭର କରେ । ଯେଉଁ ଦଳର ଯୁବ ଓ ଛାତ୍ର ସଂଗଠନ ଯେତେ ମଜବୁତ ସେହି ଦଳ ସେତେ ଶକ୍ତିଶାଳୀ  । ରାଜନୀତିର ଏହି ଅଙ୍କକୁ ବେଶ୍ ଭଲଭାବେ ବୁଝିଛନ୍ତି ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ସେଥିପାଇଁ ଦଳରେ ଛାତ୍ର ଓ ଯୁବକଙ୍କୁ ଅଧିକ ପ୍ରାଧାନ୍ଯ ଦିଆଯାଏ । ସବୁବେଳେ ଛାତ୍ର ଓ ଯୁବଶକ୍ତିର ନେତୃତ୍ବ ଦଳର ଦକ୍ଷ ଓ ଭରସା ଯୋଗ୍ଯ ନେତାଙ୍କ ହାତରେ ପ୍ରଦାନ କରନ୍ତି ବିଜେଡି ସଭାପତି।  ଗଲା କିଛିଦିନ ଧରି ବିଜେଡିର ଛାତ୍ର ଓ ଯୁବ ସଂଗଠନରେ ପରିବର୍ତ୍ତନ ହେବ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ଦଳର ବରିଷ୍ଠନେତାମାନଙ୍କୁ ବିଭିନ୍ନ ବିଭାଗର ଦାୟିତ୍ବ ବାଣ୍ଟିଲା ବେଳେ ଦୁଇ ପ୍ରତିଭାବାନ୍ ଯୁବ ବିଧାୟକଙ୍କୁ ଯୁବ ଓ ଛାତ୍ର ଦାୟିତ୍ବ ଦେଇଛନ୍ତି ନବୀନ । ଦଳର ସାଧାରଣ ସମ୍ପାଦକ ତଥା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ (ଜିତୁ) ଓ ଚାନ୍ଦବାଲି ବିଧାୟକ ବ୍ଯୋମକେଶ ରାୟ(ବାପି)ଙ୍କୁ ଯଥାକ୍ରମେ ଯୁବ ଓ ଛାତ୍ର ବ୍ଯପାରର ଦାୟିତ୍ବ ଅର୍ପଣ କରାଯାଇଛି । ପୂର୍ବରୁ ଛାତ୍ର ସଭାପତିଭାବେ ସାରା ରାଜ୍ଯର ଛାତ୍ର ସଂଗଠନରେ ଖୁବ୍ ଲୋକପ୍ରିୟ ହୋଇଥିଲେ ବାପି।  ସେହିଭଳି ବିଭିନ୍ନ ସମୟରେ ଦଳ ଦେଇଥିବା ଗୁରୁତ୍ବପୂର୍ଣ୍ଣ ଦାୟିତ୍ବଗୁଡିକୁ ସୂଚାରୁରୂପେ ସମ୍ପାଦନ କରି ଦକ୍ଷ ଯୁବ ଚେହେରା ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ଜିତୁ ।କରୋନା ସମୟରେ ଯେତେବେଳେ ସଭାସମିତି, ସିଧାସଳଖ ସାକ୍ଷାତରେ ପ୍ରତିବନ୍ଧକ ରହିଛି ସେତେବେଳେ ଯୁବ ଓ ଛାତ୍ରମାନଙ୍କୁ ଦଳର ସଂଗଠନ ସହ ଯୋଡି ରଖବା ଏକ ଚ୍ଯାଲେଞ୍ଜ ନିଶ୍ଚୟ  । ଏହା ସହ ଛାତ୍ର ଓ ଯୁବକମାନଙ୍କ ମଧ୍ୟରେ ଥିବା ଅନେକ ପ୍ରତିଭାବାନ୍ ନେତାଙ୍କୁ ଏକତା ସୂତ୍ରରେ ବାନ୍ଧି ରଖାଯିବାର ଆବଶ୍ଯକତା ରହିଛି । ଏହି ଦାୟିତ୍ବ ଲାଗି ଦଳରେ ଅନେକ ଦାବିଦାର ମଧ୍ୟ ରହିଛନ୍ତି।  କିନ୍ତୁ ନବୀନ ଦଳର ଦୁଇ ଖାସ୍ ଯୁବ ଚେହେରା ଜିତୁ ଓ ବାପିଙ୍କ ଉପରେ ପୁଣି ଥରେ ଭରସା କରିଛନ୍ତି । ଏହାକୁ ନେଇ ଦଳର ଯୁବ ଓ ଛାତ୍ରନେତାମାନେ ବେଶ୍ ଖୁସି ଜାହିର କରିଛନ୍ତି । ବାପି ଓ ଜିତୁଙ୍କ ନେତୃତ୍ବରେ ଏକାକୀ ହୋଇ ଦଳର ସଂଗଠନକୁ ତୃଣମୂଳସ୍ତରରୁ ଆହୁରି ମଜବୁତ କରିବେ ବୋଲି କହିଛନ୍ତି।  ଛାତ୍ର ନେତାମାନଙ୍କ କହିବା କଥା, ଦଳର ସଭାପତି ସବୁବେଳେ ସୁନା ଚିହ୍ନେ ବଣିଆ ଓ ଗୁଣ ଚିହ୍ନେ ଗୁଣିଆ ନ୍ଯାୟରେ ନିଷ୍ପତ୍ତି ନେଇଥାନ୍ତି ।

Leave a Reply

Your email address will not be published. Required fields are marked *