ଶିକ୍ଷାର ଶିଖର ଛୁଇଁଲେ ଆଦିବାସୀ ପୁଅ ଗଣନାଥ: ଅପାର ଚେଷ୍ଟା ବଳରେ ହାସିଲ କଲେ ଡ଼କ୍ଟରେଟ୍ ଡିଗ୍ରୀ

ମାଲକାନଗିରି: ସେ ସମଗ୍ର ଆଦିବାସୀ ସମାଜ ପାଇଁ ଉଦାହରଣ। ସେ ମାଲକାନଗିରି ଜିଲ୍ଲା ପାଇଁ ଶିକ୍ଷା ର ଆଲୋକ ବର୍ତ୍ତିକା।ଦାରିଦ୍ର ସହ ସଂଘର୍ଷ କରି ସେ କେବେ ହାରି ନାହାଁନ୍ତି ବରଂ ଆଗକୁ ବଢ଼ିବାର ଇଚ୍ଛା ତାଙ୍କୁ ନେଇ ପହଞ୍ଚାଇଛି ଶିକ୍ଷାର ର ଶିଖର ରେ।

ବିଶ୍ଵାସ କରି ହେଉନି ଏଭଲି ଏକ ଦୁର୍ଗମ ଅଞ୍ଚଳ ରୁ କେହି ଜଣେ ଶିକ୍ଷାର ଶିଖର ଛୁଇଁ ପାରେ ବୋଲି। ଦୁର୍ଗମ ଇଲାକାରେ ଦାରିଦ୍ରତାର ଦୁସ୍ଥିତି ଦେଇ ଗତି କରୁଥିବା ଗୋଟିଏ ପରିବାରର ପୁଅ ଡକ୍ଟରେଟ୍ ଡିଗ୍ରୀ ହାସଲ କରି ପାରେ ବୋଲି।

ବିଶ୍ୱାସ ନହେଲେ ବି କଥାଟି ସତ । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ରେ ଶିକ୍ଷାର ଆଲୋକ ବର୍ତ୍ତିକା ସାଜିଛନ୍ତି ଗଣନାଥ ଖିଲ। ନିଜର ପ୍ରଚଣ୍ଡ ଇଚ୍ଛା ଶକ୍ତି ଓ ପରିଶ୍ରମ ବଳରେ ହାସିଲ କରିଛନ୍ତି ଡକ୍ଟରେଟ ଡିଗ୍ରୀ ।

ବ୍ରହ୍ମପୁର୍ ବିଶ୍ୱବିଦ୍ୟାଳୟ ରୁ ଆଇ. ଆର୍.ଏମ୍ ପିଏମ ପାଠ୍ୟକ୍ରମ ରେ ପିଜି ଓ ଏମ୍ ଫିଲ୍ ପରେ ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟ ରୁ ହାସଲ କରିଛନ୍ତି ଡକ୍ଟରେଟ୍ ଡିଗ୍ରୀ।

ମାଲକାନଗିରି ଜିଲ୍ଲାର ନକ୍ସଲ ପ୍ରବଣ କାଲିମେଳା ବ୍ଲକର ମାନ୍ୟୋମ୍ କୋଣ୍ଡା ଗାଁ ରେ ଗଣନାଥଙ୍କ ଘର। ବାପା ମଧୁ ଖିଲ ଜଣେ ଚାଷୀ।

ଗାଁ ସ୍କୁଲ ରୁ ପ୍ରାଥମିକ ଶିକ୍ଷା ସାରି ଗୋବିନ୍ଦପଲ୍ଲୀ ସ୍କୁଲରୁ ଦଶମ ପାସ୍ କଲେ ଗଣନାଥ। ଏହାପରେ ମାଲକାନଗିରି କଲେଜରୁ ଯୁକ୍ତ ତିନି ସାରି ଉଚ୍ଚ ଶିକ୍ଷା ପାଇଁ ମନ ବଳାଇଲେ ସେ। ପୁଅରର ପାଠ ପଢିବାର ଝୁଙ୍କ ଆଗରେ ନଇଁ ଗଲେ ବାପା। ଜମି ବାଡି ବିକି ଧାର୍ କରଜ କରି ପଠେଇଲେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ । ସେଠାରୁ ପିଜି, ଏମ୍ ଫିଲ୍ ସାରିବା ପରେ ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟ ରେ ପି.ଏଚ୍.ଡି. କଲେ ଗଣନାଥ ।

ଏହାପରେ ମ୍ୟାନେଜମେଣ୍ଟରେ ଡକ୍ଟରେଟ ଡିଗ୍ରୀ ହାସଲ କରି ସମଗ୍ର ଆଦିବାସୀ ସାମାଜ ଓ ସାରା ଜିଲ୍ଲା ପାଇଁ ଗୌରବ ସାଜିଛନ୍ତି ଗଣନାଥ। ଉଚ୍ଚଶିକ୍ଷା ର ଏହି ସବୁ ଜଟିଳ ଭାଷା ବୁଝି ପାରୁନଥିବା ବାପା ମାଁ କିନ୍ତୁ ଏତିକି ବୁଝିଛନ୍ତି ସାର୍ଥକ ହୋଇଛି ତାଙ୍କର ର ସବୁ ଶ୍ରମ। ପାଠରେ ତାଙ୍କ ପୁଅ ହୋଇଛି ସଫଳ।

ମାନ୍ୟୋମ୍ କୋଣ୍ଡା ରୁ ପଣ୍ଡିଚେରୀ। ଦାରିଦ୍ର୍ୟ ର କଷା ଘାତ ସହି ଗଣନାଥ ଶିକ୍ଷାର ଯେଉଁ ସିଢି ଚଢିଛନ୍ତି ତାହା କେବଳ ପ୍ରତିଭାର ପରାକାଷ୍ଠା ନୁହେ ବରଂ ଦୃଢ଼ ଇଚ୍ଛା ଶକ୍ତି ରୁ କିଭଳି ସଫଳତା ମିଳେ ତାର ଅନ୍ୟନ୍ୟ ଉଦାହରଣ।

Leave a Reply

Your email address will not be published. Required fields are marked *