ଲକଡାଉନ ଯୋଗୁଁ ଓଡ଼ିଆ ବୋହୂ ହେଲେ ନେପାଳି ଝିଅ; ଜାଣନ୍ତୁ ଏହି ନିଆରା ପ୍ରେମ କାହାଣୀ

ବାଲେଶ୍ଵର: ସାମାନ୍ୟ ପ୍ରାୟ ଲାଗୁଥିବା ଏକ ଭୂତାଣୁ ସାରା ବିଶ୍ୱରେ ତାଲା ଝୁଲାଇ ଦେଇଛି । ଏଥିଯୋଗୁଁ ଅନେକ ଲୋକ ହଇରାଣ ହେଉଥିବା ବେଳେ ନିଜ ଆତ୍ମୀୟ ମାନଙ୍କ ଠାରୁ ଦୂରରେ ରହି ନାହିଁ ନଥିବା କଷ୍ଟ ଭୋଗ କରୁଛନ୍ତି।

ସେଇଠି ଯୋଡ଼େ ପ୍ରେମୀ ଯୁଗଳଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି ଏହି ଲକଡାଉନ। ଏହାରି ମଧ୍ୟରେ ଗଢି ଉଠିଥିବା ପ୍ରେମ ସମ୍ପର୍କ ନେଇଛି ବିବାହର ରୂପ। ନେପାଳି ଝିଅ ସାଜିଛି ଓଡ଼ିଆ ଘରର ବୋହୁ। ଆସନ୍ତୁ ଜାଣିବା ଏହି ନିଆରା ପ୍ରେମ କାହାଣୀ ସମ୍ପର୍କରେ…

ଯାହା ପାଇଁ ଯାହାକୁ ଗଡ଼ିଛି ଦଇବ। ସାତ ଦରିଆ ପାରିରେ ଥିଲେ ସେ ଟାଣି ହୋଇ ଆସେ ତାର ସାଥି ପାଖକୁ ଏହି ଭଳି ଏକ ଘଟଣା ଘଟିଛି ବାଲେଶ୍ୱରର ଗୋଳିହା ଗାଁରେ ।
ସାରା ଦେଶରେ ତାଲାବନ୍ଦ ସମୟରେ ମୁମ୍ବାଇରେ ଫଶି ଯାଇଥିଲେ ଓଡିଆ ପୁଅ କ୍ଷୀରୋଦ । ସେହି ସମୟରେ ସେ ଭେଟନ୍ତି ନେପାଳି ଯୁବତୀ ପ୍ରଣିସାଙ୍କ ସହ । ମୁମ୍ବାଇରେ କ୍ଷାରୋଦ ଯେଉଁଠି ରହୁଥିଲେ ସେହି ପାଖରେ ପ୍ରଣିସାଙ୍କ ଭଉଣୀ ଭିଣୋଇଙ୍କ ଘର । ସେମାନଙ୍କ ସହ ରହୁଥିଲେ ପ୍ରଣିସା । ତାଲାବନ୍ଦ ସେମାନଙ୍କ ପାଇଁ ସାଜିଥିଲା ବରଦାନ। ଦୁହିଁଙ୍କ ଭିତରେ ଗଢି ଉଠିଲା ପ୍ରେମ ସମ୍ପର୍କ ।

ଲକ୍‌ଡାଉନ ଅବଧି କୋହଳ ହେବା ପରେ କ୍ଷୀରୋଦ ନିଜ ଗାଁ ଖଇରା ବ୍ଲକର ଗୋଳିହାକୁ ଆସିବା ପାଇଁ ବାହାରିଲେ । ପ୍ରଣିସାଙ୍କ ଭଉଣୀ ଭିଣୋଇ ବି ନେପାଳ ଫେରିଗଲେ । କିନ୍ତୁ ସାଙ୍ଗରେ ଗଲେନି ପ୍ରଣିସା । ନିଷ୍ପତ୍ତି ନେଲେ ନିଜ ପ୍ରେମକୁ ଦେବେ ସ୍ୱୀକୃତି । କ୍ଷୀରୋଦଙ୍କ ସହ ତାଙ୍କ ଗାଁକୁ ଆସି ତାଙ୍କୁ ସାରା ଜୀବନ ପାଇଁ ନିଜ ଜୀବନ ସାଥୀ କରିବେ ବୋଲି ଚିନ୍ତା କଲେ ପ୍ରଣିସା ।

କ୍ଷୀରୋଦଙ୍କ ସାଙ୍ଗରେ ବାଲେଶ୍ଵର ଆସିଲେ ନେପାଳି ଝିଅ। ଆଶା ସାଜିବେ କ୍ଷୀରୋଦଙ୍କ ଧର୍ମପତ୍ନୀ । ଉଭୟ ୧୪ ଦିନ ସଙ୍ଗରୋଧ ଗୃହରେ ରହିଥିଲେ । ୧୪ ଦିନ ପୂରଣ ପରେ ସାକାର ହେଲା ଦୁହିଁଙ୍କ ସ୍ୱପ୍ନ । ସଙ୍ଗରୋଧ କେନ୍ଦ୍ର ନିକଟ ଚଣ୍ଡୀ ମନ୍ଦିରରେ ହେଲା ଦୁହିଁଙ୍କ ବିବାହ। ଏହି ବିବାହରେ ସ୍ଥାନୀୟ ସରପଞ୍ଚ ଓ ତାଙ୍କ ସ୍ୱାମୀ କନ୍ୟାଦାନ କରିଥିଲେ । ସମ୍ପୂର୍ଣ୍ଣ ରୀତିନୀତି ସହ ଓଡ଼ିଆ ଘରର ବୋହୁ ସାଜିଲେ ଏହି ନେପାଳି ଝିଅ।

Leave a Reply

Your email address will not be published. Required fields are marked *