ପ୍ରତି ପଞ୍ଚାୟତରେ ହେବ କୋଭିଡ କେୟାର ହୋମ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରତିଦିନ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏହାର ମୁକାବିଲା ପାଇଁ ରଣ କୌଶଳ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ପ୍ରତି ପଂଚାୟତରେ କୋଭିଡ କେୟାର ହୋମ୍ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।
ଏହି କୋଭିଡ କେୟାର ହୋମ୍‌ରେ ୧୦ରୁ ୨୦ ଜଣ ବ୍ୟକ୍ତି ରହିବା ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି। ଏଠାରେ ସାରା ରାଜ୍ୟରେ ୭୦ ହଜାର ଲୋକଙ୍କ ରହିବା ବ୍ୟବସ୍ଥା ହୋଇପାରିବ । ଥଣ୍ଡା, ଜ୍ୱର, କାଶ, ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ସିଧାସଳଖ ହସ୍ପିଟାଲ ନନିଆଯାଇ କୋଭିଡ କେୟାର ହୋମ୍‌କୁ ଅଣାଯିବ । ନମୂନା ପରୀକ୍ଷା ପରେ ଯଦି ପଜିଟିଭ ଆସେ ତେବେ ତାଙ୍କୁ କୋଭିଡ କେୟାର ହସ୍ପିଟାଲକୁ ପଠାଯିବ ନଚେତ ଘରେ ରହି ଚିକିତ୍ସତ ହୋଇପାରିବେ ବୋଲି ସୂଚନା ମିଳିଛି।
ସେହିପରି କୋଭିଡ ପରିଚାଳନାକୁ ବିକେନ୍ଦ୍ରି କରଣ କରିବା ପାଇଁ ସହର ଓ ଗାଁ ସବୁଠାରେ ୱାର୍ଡସ୍ତରୀୟ କମିଟି ଗଠନ କରାଯିବ । ଏଥିରେ ୱାର୍ଡସ୍ତରୀୟ ଲୋକ ପ୍ରତିନିଧିଙ୍କ ସମେତ ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ଏଏନ୍‌ଏମ୍ ଓ ଏସ୍‌ଏଚ୍‌ଜିର ମାଆ ମାନେ ସଦସ୍ୟ ରହିବେ । ଏହି କମିଟିକୁ ମହାମାରୀ ରୋଗ ନିୟନ୍ତ୍ରଣ ଆଇନ୍ ଅନୁଯାୟୀ ସ୍ୱତନ୍ତ୍ର କ୍ଷମତା ଦିଆଯିବ । ପୂର୍ବ ଭଳି ସରପଞ୍ଚଙ୍କ ଉପରେ କୋଭିଡ କେୟାର ହୋମ୍ ଓ ଟିଏମ୍‌ସିର ଦାୟିତ୍ୱ ନ୍ୟସ୍ତ ରହିବ । ଏହି ମୁକାବିଲାକୁ ଆହୁରି ସୁଦୃଢ଼ କରିବା ପାଇଁ ତାଙ୍କୁ ଆର୍ଥିକ ଓ ପ୍ରଶାସନିକ ସହଯୋଗ ରାଜ୍ୟ ସରକାର ଯୋଗାଇଦେବେ ବୋଲି ଘୋଷଣା ହୋଇଛି । ଗ୍ରାମାଞ୍ଚଳ ପରି ସହରାଞ୍ଚଳରେ ମଧ୍ୟ ଅନୂରୁପ ବ୍ୟବସ୍ଥା କରାଯିବ ।

Leave a Reply

Your email address will not be published. Required fields are marked *