କରୋନା ପାଇଁ ଚଳିତବର୍ଷ ଦେଖିବାକୁ ମିଳିବନି ଦୋଳି ଖେଳର ମଜା…

ଆଜି ରଜର ଦ୍ଵିତୀୟ ଦିନ ରଜ ତଥା ଏହାକୁ ରାଜସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ। ଆନନ୍ଦ ଉଲ୍ଲାସର  କେତେ ଆଶା ଓ ଉଦ୍ଦୀପନା ନେଇ ଏହ ଆସିଥାଏ। କିନ୍ତୁ ଏ ବର୍ଷ କରୋନା ସଂକ୍ରମଣ ସ୍ଥିତି ଯୋଗୁ ଫିକାପଡିଛି ରଜ । ଅର୍ଥାତ୍‌ ଏଥର ଦେଖିବାକୁ ମିଳିବନି ଦୋଳି ଖେଳର ମଜା ।

ଚଳିତ ବର୍ଷ କରୋନା ମହାମାରୀ ପାଇଁ ପାରମ୍ପରିକ ରଜ ଉପରେ ସିଧା ସଳଖ ପ୍ରଭାବ ପଡିଥିବା ଦେଖାଦେଇଛି । ଆଉ ଏଥିପାଇଁ ଲୋକମାନେ ଘରେ ରହି ରଜ ପାଳନ କରିବେ ।

ପାଗ ଭଲ ଥିଲେ ସୁଦ୍ଧା କରୋନା ଯୋଗୁଁ ସବୁ ବର୍ଷ ଭଳି ଏବର୍ଷ ରାଜରେ ସେ ଚମକ ନାହିଁ । ପହିଲି ରଜକୁ ଉପଭୋଗ କରିବା ପରେ ରଜ ସଂକ୍ରାନ୍ତିରେ ମାହୋଲ ଆହୁରି ଜମିଥାଏ ।

ରଜରେ ଝିଅ ମାନେ ସଜବାଜ ହୋଇ ମିଠା ପାନ ଖାଇ ଦଳବଳ ହୋଇ ଖେଳନ୍ତି ରଜ ଦୋଳି । ଏହି ରଜ ତିନିଦିନ ଆମ୍ବ ତୋଟାରୁ ଯୁବତୀଙ୍କ କଣ୍ଠରୁ ଭାସି ଆସେ ” ରଜ ଦୋଳି କଟମଟ… ମୋ ଭାଇ ମୁଣ୍ଡରେ ସୁନା ମୁକୁଟ…ସୁନା ମୁକୁଟଲୋ..ଦିଶେ କେଡେ ଝଟ ଝଟ” ।

ଓଡ଼ିଶାର ପ୍ରାଚୀନ ଲୋକକଥା ଅନୁସାରେ ଯଦି କେହି ରଜରେ ଦୋଳି ନ ଖେଳନ୍ତି ତା’ ହେଲେ ସେ ପରଜନ୍ମରେ କାଠ ବେଙ୍ଗ ହୋଇ ଜନ୍ମ ନେବେ ବୋଲି ବିଶ୍ୱାସ ରହିଛି। ତେଣୁ କୁମାରୀ ଝିଅଙ୍କଠାରୁ ଆରମ୍ଭ କରି ସମସ୍ତେ ଏହି ସମୟରେ ଦୋଳି ଖେଳର ମଜା ନେଇଥାନ୍ତି।

ଏହି କଟକଣା ଭିତରେ ନିଜ ଅଗଣାରେ ଦୋଳି ଖେଳି, ପିଠା ଖାଇ ମଉଜ କରୁଛନ୍ତି ସହି ଝିଅ, ବୋହୂ। ନିଜ ପରମ୍ପରାକୁ ବଜାଇ ରଖିବା ପାଇଁ ଘରେ ରହି ପାଳନ ହେଉଛି ରଜ । ଘରେ ଘରେ ଚାଲିଛି ପିଠାପଣା ପ୍ରସ୍ତୁତି । ଗାଁ ଦାଣ୍ଡକୁ ନଯାଇ ପାରିଲେ ସୁଦ୍ଧା ନିଜ ଅଗଣାରେ ଲାଗିଛି ରାଜଦୋଳି ।ପିଲା ଠୁ ଆରମ୍ଭ କରି ବୁଢା ଯାଏଁ ମନମାରି ବସିଛନ୍ତି ଘର ଭିତରେ । ଏହି ମାରାତ୍ମକ ଭୂତାଣୁ ଆଜି ଛଡାଇ ନେଇଛି ଓଡ଼ିଶାର ସବୁଠୁ ବଡ଼ ପର୍ବର ଆନନ୍ଦ।

Leave a Reply

Your email address will not be published. Required fields are marked *