ସରପଞ୍ଚଙ୍କୁ ରଜ ଭେଟି: ବୃଦ୍ଧି ପାଇଲା ମାସିକ ଭତ୍ତା

ଭୁବନେଶ୍ୱର: ଗ୍ରାମାଞ୍ଚଳରେ କରୋନା ମୁକବିଲାର ମଙ୍ଗ ଧରିଥିବା ସରପଞ୍ଚଙ୍କୁ ରାଜ୍ୟ ସରକାର ଦେଇଛନ୍ତି ରଜ ଭେଟି । ସେମାନଙ୍କର ମାସିକ ଭତ୍ତାକୁ ସରକାର ବୃଦ୍ଧି କରିଛନ୍ତି । କେବଳ ସରପଞ୍ଚ ନୁହନ୍ତି, ସମିତି ସଭ୍ୟ, ଜିଲା ପରିଷଦ ସଭ୍ୟ, ଜିଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ନାଏବ ସରପଞ୍ଚ, ପଞ୍ଚାୟତ ସମିତି ଅଧ୍ୟକ୍ଷ ସମସ୍ତଙ୍କର ଭତ୍ତା ବୃଦ୍ଧି ହୋଇଛି ।

ସରପଞ୍ଚଙ୍କର ଭତ୍ତା ୧୮୮୦ଟଙ୍କାରୁ ୨୩୫୦ଟଙ୍କାକୁ ବୃଦ୍ଧି ପାଇଛି। ନାଏବ ସରପଞ୍ଚଙ୍କୁ ମାସିକ ୧୯୦ଟଙ୍କା ଓ ସରପଞ୍ଚଙ୍କୁ ଅଧିକ ୪୭୦ଟଙ୍କା ମିଳିବ। ସେହିପରି ୱାର୍ଡମେମ୍ବର, ନାଏବ ସରପଞ୍ଚ ଓ ସରପଞ୍ଚଙ୍କ ଦୈନିକ ଭତ୍ତା ୪୦ଟଙ୍କା ଓ ବୈଠକ ଫି’ ୨୦୦ଟଙ୍କା ପୂର୍ବଭଳି ରହିଛି।

ଜିଲ୍ଲା ପରିଷଦ ସଭ୍ୟଙ୍କ ମାସିକ ଭତ୍ତା ୭୧୦ଟଙ୍କା ବୃଦ୍ଧି ପାଇ ୩୫୩୦ଟଙ୍କା ହୋଇଛି । ଜିଲ୍ଲା ପରିଷଦ ଉପାଧ୍ୟକ୍ଷଙ୍କର ଭତ୍ତା ୧୪୧୦ଟଙ୍କା ବୃଦ୍ଧି ପାଇ ୭୦୪୦ଟଙ୍କା ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କର ଭତ୍ତା ୧୮୮୦ଟଙ୍କା ବଢ଼ି ୯୩୮୦ ଟଙ୍କାରେ ପହଞ୍ଚିଛି। ଜିଲ୍ଲା ପରିଷଦ ସଭ୍ୟ ଓ ଅଧ୍ୟକ୍ଷଙ୍କ ଦୈନିକ ଭତ୍ତା ୮୦ଟଙ୍କା ଓ ବୈଠକ ଫି’ ୨୨୦ଟଙ୍କା ଅପରିବର୍ତ୍ତିତ ରହିଛି।

ସମିତି ସଭ୍ୟ ଓ ପଞ୍ଚାୟତସମିତି ଉପାଧ୍ୟକ୍ଷଙ୍କ ମାସିକ ଭତ୍ତା ୧୮୮୦ଟଙ୍କାରୁ ୨୩୫୦ଟଙ୍କାକୁ ବୃଦ୍ଧି ପାଇଛି । ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କର ଭତ୍ତା ୨୮୨୦ଟଙ୍କାରୁ ୩୫୩୦ଟଙ୍କାକୁ ବୃଦ୍ଧି ପାଇଛି। ସମିତି ସଭ୍ୟ ଓ ବ୍ଲକ ଅଧ୍ୟକ୍ଷଙ୍କର ଦୈନିକ ଭତ୍ତା ୪୦ଟଙ୍କା ଓ ସିଟିଙ୍ଗ୍ ଫି’ ୨୦୦ଟଙ୍କା ଅପରିବର୍ତ୍ତିତ ରହିଛି।

Leave a Reply

Your email address will not be published. Required fields are marked *