ସ୍ନାନ ବେଦୀରେ ଚତୁର୍ଦ୍ଧା ମୁରତୀଙ୍କ ହାତୀବେଶ; ଜାଣନ୍ତୁ ଏହା ପଛର କିମ୍ବଦନ୍ତୀ

ପୁରୀ: ପରମ୍ପରା ଅନୁଯାୟୀ ସ୍ନାନ ମଣ୍ଡପରେ ବିରାଜିତ ଶ୍ରୀଜୀଉ ମାନଙ୍କର ସ୍ନାନ ନୀତି ପରେ ଗୋପାଳ ତୀର୍ଥ ମଠ ଓ ରାଘବ ଦାସ ମଠରୁ ଆସିଥିବା ଗଜାନନ ବେଶ ଉପକରଣ ଯଥାକ୍ରମେ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଶ୍ରୀସୁଭଦ୍ରା, ଶ୍ରୀସୁଦର୍ଶନଙ୍କୁ ଲାଗି କରାଯାଏ । ଗଜାନନ ବେଶ ସମ୍ପର୍କରେ ଶ୍ରୀମନ୍ଦିର ସ୍ୱତ୍ୱଲିପିରେ ଉଲ୍ଲେଖ ଅଛି ଯେ, ସ୍ନାନ ମଣ୍ଡପରେ ଶ୍ରୀବିଗ୍ରହମାନଙ୍କର ଜଳ ଲାଗି ନୀତି ବଢିବା ପରେ ଲେଙ୍କା ଓ ଘଣ୍ଟ କାହାଳୀ ସହ ଗୋପାଳତୀର୍ଥ ମଠରୁ ବଡ଼ ବାଡ଼ (ବଳଭଦ୍ରଙ୍କ ବାଡ଼) ଓ ଶ୍ରୀସୁଦର୍ଶନଙ୍କର ଗଜାନନ ବେଶ ଉପକରଣମାନ ଆଣିବାକୁ ଯାଆନ୍ତି । ଏହା ପରେ ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ମୁଦିରଥ ତିନି ବାଡ଼ରେ ରାଜ ନୀତି କରନ୍ତି ।

ରାଜ ନୀତି ବଢିବା ପରେ ସ୍ନାନ ମଣ୍ଡପରେ ଛେରା ପହଁରା ହୋଇଛି । ତତ୍ପରେ ସୁଆରବଡୁ ସେବକ ପାଣି ପାଣି ପଡ଼ିଲା ପରେ ଜଗମୋହନରେ ଥିବା ବଡ଼ବାଡ଼ର (ବଳଭଦ୍ର) ବେଶ ଉପକରଣ ଓ ରାଘବ ଦାସ ମଠରୁ ଆସିଥିବା ଅନ୍ୟ ଦୁଇ ବାଡ଼ (ଜଗନ୍ନାଥ, ସୁଭଦ୍ରା)ର ବେଶ ଉପକରଣମାନ ସ୍ନାନ ମଣ୍ଡପରେ ରଖାଯାଇଥିଲା । ଭିତରଚ୍ଛ, ଚଳିଚ୍ଛ, ପୁଷ୍ପାଳକ,ଖୁଣ୍ଟିଆ, ଦଇତାପତିମାନଙ୍କ ସହ ତିନିବାଡ଼ରେ ହାତୀ ବେଶ କରାଯାଇଛି ।

ହାତୀ ବେଶ ପଛର କିମ୍ବଦନ୍ତୀ:

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ହାତୀ ବେଶ ବା ଗଜାନନ ବେଶ ସମ୍ପର୍କରେ ରହିଥିବା କିମ୍ବଦନ୍ତୀ ଅନୁଯାୟୀ ପଞ୍ଚଦଶ ଶତାବ୍ଦୀରେ ମହାରାଷ୍ଟ୍ରରୁ ମହାଗାଣପତ୍ୟ ସମ୍ପ୍ରଦାୟର ଶ୍ରୀ ଗଣପତି ଭଟ୍ଟ ନାମକ ଜୈନିକ ବିଶିଷ୍ଟ ବ୍ରାହ୍ମଣ ଶ୍ରୀକ୍ଷେତ୍ରକୁ ଆଗମନ କରିଥିଲେ । ସେ ପ୍ରଭୁ ଗଣେଶଙ୍କ ବଡ଼ ଭକ୍ତ ଥିଲେ । ସ୍ନାନ ପୂର୍ଣ୍ଣିମୀ ଦିନ ଶ୍ରୀମନ୍ଦିରରୁ ପ୍ରବେଶ କରି ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରି ଗଣପତି ଭଟ୍ଟ ସନ୍ତୋଷ ଲାଭ କଲେ ନାହିଁ । ତେଣୁ ନିରାଶ ମନରେ ଶ୍ରୀକ୍ଷେତ୍ରରୁ କିଛି ବାଟ ଯିବା ପରେ ମୁକ୍ତେଶ୍ୱରଠାରେ ଶୂନ୍ୟବାଣୀ ଶୁଣି ପୁନଶ୍ଚ ଶ୍ରୀମନ୍ଦିରକୁ ଫେରିଆସି ଦେଖନ୍ତି ଯେ, ଠାକୁରମାନେ ତାଙ୍କର ଇଷ୍ଟ ଗଣପତି ରୂପ ଧାରଣ କରି ଧବଳ ରୂପରେ ବଳଭଦ୍ର ଓ କଳା ରୂପରେ ଜଗନ୍ନାଥ ଶୋଭା ପାଉଛନ୍ତି । ଗଣପତି ଭଟ୍ଟ ଏହି ଦୃଶ୍ୟ ଦେଖି ଭକ୍ତି ବିଭୋର ହୋଇପଡ଼ିଲେ ଓ ତତ୍‌କ୍ଷଣାତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚରଣାବିନ୍ଦରେ ସାଷ୍ଟାଙ୍ଗ ପ୍ରଣିପାତ ପୂର୍ବକ ପ୍ରାର୍ଥନା କରିଥିଲେ । ଗଣପତି ଭଟ୍ଟଙ୍କ ଗଣପତି ବେଶ ଦର୍ଶନର ସ୍ମାରକୀ ସ୍ୱରୂପ ଏହି ବେଶ ହୋଇ ଆସୁଛି ।

Leave a Reply

Your email address will not be published. Required fields are marked *