ମଧୁମେହ ରୋଗୀଙ୍କ ପାଇଁ ପ୍ରାଣଘାତୀ ସାଜୁଛି କରୋନା!

ଭୁବନେଶ୍ୱର: ଦେଶରେ ଭୟଙ୍କର ଭାବରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଏହାର ପ୍ରତିଷେଧକ ଟୀକା ବା ଭ୍ୟାକସିନ୍‌ ପାଇଁ ଦୁନିଆର ବଡ଼ ବଡ଼ ବୈଜ୍ଞାନିକ ଓ ଗବେଷକ ରାତିଦିନ ଏକ କରି ପ୍ରୟାସ ଚଳାଇଛନ୍ତି।

ତେବେ ଟୀକା ବାହାରିବା ଯାଏଁ ଏହାକୁ ନେଇ ସଚେତନ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଇ ସରକାରଙ୍କ ପକ୍ଷରୁ ଅନେକ ଗାଇଡ଼ଲାଇନ ଜାରି କରାଯାଉଛି।

ନିକଟରେ ଫ୍ରାନ୍ସରେ ହୋଇଥିବା ଆଉ ଏକ ଅଧ୍ୟୟନରେ ଜଣାପଡିଛି ଯେ, କରୋନାରେ ପ୍ରାଣ ହରାଉଥିବା ରୋଗୀଙ୍କ ମଧ୍ୟରେ ମଧୁମେହ ବା ଡାଏବେଟିସ୍ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି।

ଗବେଷଣା ଅନୁଯାୟୀ, କରୋନାରେ ସଂକ୍ରମିତ ହେଉଥିବା ପ୍ରତି ୧୦ ଜଣ ମଧୁମେହ ରୋଗୀଙ୍କ ମଧ୍ୟରୁ ଜଣେ ପ୍ରାଣ ହରାଉଛନ୍ତି। ଆହୁରି ମଧ୍ୟ ପୂର୍ବରୁ ମଧୁମେହରେ ପୀଡିତ କରୋନା ଆକ୍ରାନ୍ତ ପ୍ରତି ୫ ଜଣଙ୍କ ମଧ୍ୟରୁ ଜଣଙ୍କର ଭେଣ୍ଟିଲେଟରର ଆବଶ୍ୟକତା ପଡୁଛି। କରୋନାରେ ପୀଡିତ ମଧୁମେହ ରୋଗୀଙ୍କ ମଧ୍ୟରୁ ୧୦ ଜଣରୁ ଜଣେ ସାତ ଦିନରେ ହିଁ ପ୍ରାଣ ହରାଉଥିବା ରିପୋର୍ଟରେ ପ୍ରକାଶ।

ଏହି ଅଧ୍ୟୟନରୁ ଡାଏବେଟିସ୍ ରୋଗୀଙ୍କ ଲାଗି କରୋନା ସଂକ୍ରମଣ କେତେ ଘାତକ ଏହା ଜଣାପଡିଛି।

ସମସ୍ୟା ଆହୁରି ମଧ୍ୟ ଜଟିଳ ହୋଇଥାଏ ଯଦି କୌଣସି ୬୦ ବର୍ଷରୁ ଅଧିକ ବୟସର ମଧୁମେହ ରୋଗୀ କରୋନାରେ ସଂକ୍ରମିତ ହେଉଛନ୍ତି।

ଡାଏବେଟିସ୍‌ ରୋଗୀଙ୍କ ପାଇଁ କରୋନା ଅଧିକ ଘାତକ ହେବାର କାରଣ ଏହି ଧରଣର ରୋଗୀଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ ଥାଏ। ଉପରେ କରୋନା ଏକ ଭୂତାଣୁ ଜନିତ ରୋଗ। ତେଣୁ ଏହା ଶରୀରରେ ପ୍ରବେଶ କରି ଏହି ରୋଗୀଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଆହୁରି ଦୁର୍ବଳ କରି ଦିଅନ୍ତି। ଫଳରେ ରୋଗୀଙ୍କ ମୃତ୍ୟୁ ଘଟିଥାଏ।

କିପରି ରହିବେ ସତର୍କ:

ଏହି ରୋଗରୁ ତ୍ରାହି ପାଇବାକୁ ହେଲେ ମଧୁମେହ ରୋଗୀଙ୍କୁ ନିଜର ବ୍ଲଡ ସୁଗାର ନିୟନ୍ତ୍ରିତ କରିବା ବହୁ ଜରୁରୀ ହୋଇଥାଏ। ଏମିତି ସ୍ଥିତିରେ ଭାଇରସ୍‌ ଅଧିକ ଘାତକ ହୋଇନଥାଏ। ତେଣୁ ସୁଗାର ରୋଗୀଙ୍କୁ ନିଜର ଚିକିତ୍ସା ଜାରି ରଖିବା ଉଚିତ୍।

Leave a Reply

Your email address will not be published. Required fields are marked *