ଅମ୍ଫାନ ମୁକାବିଲା: ସାରାରାତି ଅନିଦ୍ରା ରହିଲେ ଅଧିକାରୀ

ଭୁବନେଶ୍ୱର, ବାତ୍ୟା ଅମ୍ଫାନ ର ସଫଳ ମୁକାବିଲା ପାଇଁ ୮ଜଣ ବରିଷ୍ଠ ଅଧିକାରୀଙ୍କୁ ଦାଇତ୍ୱ ଦେଇଥିଲେ ରାଜ୍ୟ ସରକାର । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହ ଆଲୋଚନା କରି ଏମାନଙ୍କୁ ବତ୍ୟା ପାଇଁ ପୂର୍ବ ପ୍ରସ୍ତୁତି ସହ ଜରୁରୀକାଳିନ ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥିସହ ଏମାନଙ୍କୁ ପ୍ରଭାବିତ ଅଂଚଳର ଜିଲ୍ଲାପାଳଙ୍କ ସହ ସବୁ ସମୟରେ ଯୋଗାଯୋଗ ରଖିବାକୁ କୁହାଯାଇଥିଲା । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନାଙ୍କ ତତ୍ୱାବଧାନରେ ବାତ୍ୟା ମୁକାବିଲା ମିଶନକୁ କାର୍ଯ୍ୟକାରୀ କରାଯାଇଥିବା ବେଳେ ବାତ୍ୟା ମୁକାବିଲାରେ ସଚିବ ମାନେ ସଫଳ ହୋଇଛନ୍ତି ।
ସାରା ରାତି ଅନିଦ୍ରା ରହି ସଚିବ ଓ ଜିଲ୍ଲାପାଳ ମାନେ ପ୍ରଦୀପ ଜେନାଙ୍କ ସହ ଯୋଗାଯୋଗରେ ରହି ବାତ୍ୟା ଅପଡେଟ୍ ରଖିଥିଲେ । ସେହିଭଳି ପ୍ରଦୀପ ଜେନା ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶଙ୍କ ସହ ଆଲୋଚନା ଜାରି ରଖିଥିଲେ । ଖୁବ କମ ସମୟ ପାଇଁ ବାତ୍ୟା ଅମ୍ଫାନ ପଶ୍ଚିମ ମୁହାଁ ହେଉଥିବା ସୂଚନା ମିଳିବା ପରେ ପୁରା ଟିମ୍ ହାଇ ଆଲର୍ଟ ହୋଇଯାଇଥିଲା । ରାତି ୩ଟା ରେ ପ୍ରଦୀପ କୁମାର ଜେନା ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲାପାଳଙ୍କ ସମେତ ଦାଇତ୍ୱରେ ଥିବା ବରିଷ୍ଠ ଅଧିକାରୀଙ୍କୁ ଫୋନ ଯୋଗେ ସମ୍ପର୍କ କରିଥିଲେ । ବାତ୍ୟାର ପ୍ରଭାବ ବଢିବା ନେଇ ସ୍ପଷ୍ଟତା ନଥିଲେ ମଧ୍ୟ କୌଣସି ତ୍ରୁଟିର ସଂକୋଚ ନ ରଖିବା ପାଇଁ ସ୍ୱତନ୍ତ୍ର ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ମିଳିଥିଲା । ବାତ୍ୟା ପୂର୍ବରୁ ଦାଇତ୍ୱରେ ଥିବା ଅଧିକାରୀ ମାନେ ନିଜ ନିଜ ଜିଲ୍ଲାରେ ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ କରିବା ସହ ସମୁଦ୍ର କୁଳିଆ ଅଂଚଳକୁ ଜନଶୁନ୍ୟ କରିବା କାର୍ଯ୍ୟ ଶେଷ କରିଥିଲେ । ସେହିଭଳି ଭାଗତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଫୋନ ଯୋଗେ ପ୍ରଦୀପ ଜେନାଙ୍କ ସହ ବାତ୍ୟାର ସ୍ଥିତି ଓ ବେଗ ସମ୍ପର୍କରେ ସୂଚନା ଦେଇଥିବା ବେଳେ ପାଣିପାଗ ବିଭାଗର ପୂର୍ବାନୁମାନ ସଠିକ୍ ପ୍ରମାଣିତ ହେବା ନେଇ ଆଶ୍ୱସ୍ତ କରିଥିଲେ । ବାତ୍ୟା ଅମ୍ପାନ ପାରାଦ୍ୱୀପ ସ୍ପର୍ଶ କରିବା ପରେ ଓଡ଼ିଶାକୁ ସଂପ୍ରଶାରିତ ହେବା ନେଇ ପ୍ରଦୀପ ଜେନାଙ୍କୁ ସୂଚନା ମିଳିଥିଲା । ବାତ୍ୟା ପଶ୍ଚିମବଙ୍ଗ ମୁହାଁଇବା ପରେ ବାଲେଶ୍ୱରର ବାଲିଆପାଳ ଓ ଭୋଗରାଇ କୁ ଫୋକସ କରାଯାଇଥିଲା ।
ବାଲେଶ୍ଵର ଜିଲ୍ଲା ଦାୟିତ୍ୱରେ ଥିବା ମଧୁସୂଦନ ପାଢ଼ୀ ଓ ଦୀପ୍ତେଶ ନିଜ ଦାୟିତ୍ୱକୁ ଅତି ପ୍ରବୀଣ ଭାବେ ତୁଲାଇଥିଲେ । ସେହିଭଳି କେନ୍ଦ୍ରାପଡା ଜିଲ୍ଲା ପାଇଁ ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା, ଭଦ୍ରକ ପାଇଁ ସୁଶୀଲ କୁମାର ଲୋହାନୀ, ଜଗତସିଂହପୁର ଜିଲ୍ଲା ପାଇଁ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ରଙ୍କୁ ସ୍ୱତନ୍ତ୍ର ଦାୟିତ୍ବ ମିଳିଥିଲା । ବରିଷ୍ଠ ଅଧିକାରୀମାନେ ବାତ୍ୟା ପାଇଁ ପୂର୍ବପ୍ରସ୍ତୁତି ହେଉ କିମ୍ବା ବାତ୍ୟା ସମୟରେ ଜରୁରୀକାଳୀନ ସ୍ଥିତିକୁ ନିୟନ୍ତ୍ରଣ କରି ଜିଲ୍ଲାପାଳଙ୍କୁ ବିଭନ୍ନ ପରାମର୍ଶ ଦେଇ ଏହି ବାତ୍ୟାର ସଫଳ ମୁକାବିଲା କରିଛନ୍ତି।

Leave a Reply

Your email address will not be published. Required fields are marked *