ଭକ୍ତ ବିନା ନନ୍ଦିଘୋଷରେ ବସିବ କାଳିଆ !

ପୁରୀ: ବରଷକୁ ଥରେ ବଡ଼ ଦେଉଳର ରତ୍ନ ସିଂହାସନ ଛାଡି ଭକ୍ତଙ୍କ ଗହଣକୁ ଆସନ୍ତି କାଳିଆ ସାଆନ୍ତ । ମନ୍ଦିର ଭିତରକୁ ପ୍ରବେଶ କରିପାରୁନଥିବା ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ବଡ଼ଦାଣ୍ଡକୁ ଓଲ୍ହାଇ ଆସନ୍ତି କଳାଠାକୁର। ନନ୍ଦିଘୋଷରେ ବାହୁ ମେଲାଇ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ବିଶ୍ୱ ନିୟନ୍ତା ।ଶାସ୍ତ୍ର କହେ ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ କଲେ ଜୀବକୁ ମୋକ୍ଷ ପ୍ରାପ୍ତି ହୋଇଥାଏ । ଭକତ ଭାବରେ ବନ୍ଧା କାଳିଆ ଠାକୁରଙ୍କ ମନ। ମନୁଆ ଠାକୁରଙ୍କୁ ଭାରି ଭଲ ଲାଗିଥାଏ ଭକତ ଗହଳି । ମୁଣ୍ଡରେ ଟାହିଆ ପିନ୍ଧି ଭକ୍ତଙ୍କ ମେଳରେ ଝୁଲି ଝୁଲି ନାଚି ନାଚି ଯାଇ ରଥରେ ବିରାଜମାନ କରନ୍ତି ମହାପ୍ରଭୁ । ସକାଳୁ ଯେ ରାତି ଯାଏଁ ଭକ୍ତଙ୍କ ଗହଳିରେ ରହିବାକୁ ଭଲ ପାଆନ୍ତି କଳାଠାକୁର ।

କିନ୍ତୁ ଦୀର୍ଘ ୨ମାସ ହେବ କଳା ସାଆନ୍ତଙ୍କୁ ମନ ମାରିବାକୁ ପଡିଛି। ଭକ୍ତଙ୍କ ହୋ ହାଲ୍ଲାରେ ଫାଟି ପଡୁଥିବା ଶ୍ରୀ ମନ୍ଦିର ଏବେ ଶୂନ୍ୟ ପ୍ରାୟ ପଡିଛି। କରୋନା କଟକଣା ଯୋଗୁଁ କାହିଁ କେତେ ଦିନୁ ଭେଟ ହୋଇ ନାହିଁ ଭକ୍ତ ଓ ଭଗବାନଙ୍କର ।ଏହି କରୋନା କଟକଣାରେ ବଳି ପଡ଼ିଲାଣି ମହାପ୍ରଭୁଙ୍କ କେତେ ଯେ ଉତ୍ସବ। ବର୍ଷକୁ ଥରେ ହେଉଥିବା ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ମଧ୍ୟ ଚାପି ହେବାକୁ ବସିଛି ଏହି କଟକଣା ମଧ୍ୟରେ।ଚଳିତ ବର୍ଷ ବିନା ଭକ୍ତରେ ହୋଇପାରେ ମହାପ୍ରଭୁଙ୍କ ରଥଯାତ୍ରା ।ଏ ଓଡ଼ିଆ ଜାତିର ଶ୍ରେଷ୍ଠ ପର୍ବ ରଥଯାତ୍ରା । ଏହି ରଥଯାତ୍ରାର ମୂଳ ତତ୍ତ୍ୱକୁ ଦୋହଲାଇବାକୁ ବସିଛି ଏହି କରୋନା ଭାଇରସ୍। ଏହି ଭାଇରସ ଆଜି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ସତେ ଯେପରି ଏକ ପାଚେରୀ ହୋଇ ଛିଡା ହୋଇଛି।

Leave a Reply

Your email address will not be published. Required fields are marked *