ଦୁବାଇ ରେ ଦୁର୍ଦ୍ଦଶା ଗ୍ରସ୍ତ ଓଡ଼ିଆ ଶ୍ରମିକଙ୍କୁ ଓଡ଼ିଶା ସମାଜ ୟୁ.ଏ.ଇ ର ସହାୟତା

ଦୁବାଇ: ଦୁବାଇ ରେ ଅଟକବନ୍ଦୀ ହୋଇ ରହିଥିବା ୧୭ ଜଣ ଓଡ଼ିଆ ଶ୍ରମିକଙ୍କୁ ଓଡ଼ିଶା ସମାଜ ୟୁନାଇଟେଡ଼ ଆରବ ଏମିରେଟସ (ଓ.ସ.ୟୁ.ଏ. ଇ ) ଦ୍ୱାରା ଉଦ୍ଧାର କରାଯାଇଛି | ଓ.ସ.ୟୁ.ଏ. ଇ ର ସଭାପତି ଅମୀୟ ମିଶ୍ର, ସାଧାରଣ ସଂପାଦକ ପ୍ରିତୀଶ ଦାଶ, ଉପସଭାପତି ସୁଶାନ୍ତ କୁମାର ପଣ୍ଡା, କାର୍ଯ୍ୟକାରୀ କମିଟି ସଦସ୍ୟ ଚିନ୍ମୟ ଜେନା ଏବଂ ଜ୍ୟୋତି ରଞ୍ଜନ ପଣ୍ଡା, ଭାରତ ସରକାରଙ୍କ ର ଦୁବାଇ ସ୍ଥିତ କନସୁଲେଟ ରେ ଅବସ୍ଥାପିତ ଶ୍ରମ ବ୍ୟପାର ର କନସଲ ଅଧିକାରୀ ଜୀତେନ୍ଦ୍ର ନେଗୀଙ୍କର ସହାୟତା ରେ ନିର୍ଯାତନା ଭୋଗ କରୁଥିବା ଏହି ଯୁବକ ମାନଂକୁ ଠାବ କରିବାରେ ସକ୍ଷମ ହୋଇଛନ୍ତି |ଶ୍ରମିକ ମାନେ ବିନା କାମ ଦାମ ରେ ଓପାସ ଭୋକରେ କାଳ କାଟୁଥିବା ସହିତ ଗଭୀର ମାନସିକ ଯନ୍ତ୍ରଣା ମଧ୍ୟରେ ରହିଥିବା ସେମାନଂକୁ ଭେଟିବାକୁ ଯାଇଥିବା ବେଳେ, ଏହି ପ୍ରତିନିଧି ମାନଂକୁ ଜଣାଇଛନ୍ତି| ସେମାନଙ୍କର ନିୟୁକ୍ତିକାରୀ ମାଲିକ, ଶ୍ରମିକ ମାନଙ୍କର ପାସପୋର୍ଟ ନଫେରାଇ କମ୍ପାନୀ ବନ୍ଦ କରି ଦେଶ ଛାଡ଼ି ଚାଲି ଯାଇଥିବା ସେମାନେ ସୁଚାଇଛନ୍ତି |ସେମାନଙ୍କର ମୁଣ୍ଡ ଗୁଞ୍ଜିବା ପାଇଁ ବାସସ୍ଥାନ ବା ଦୁବାଇ ଭଳି ଦାମୀ ସହରରେ ଚଳିବା ପାଇଁ ହାତରେ ପଇସା ଶୂନ ଥିବା ସେମାନେ ପ୍ରକାଶ କରିଛନ୍ତି | ଯୁବକ ମାନଂକର ଦୁର୍ଦ୍ଦଶା ସଂପର୍କରେ ଅବଗତ ହେବା ପରେ କନସୁଲେଟ ଅଧିକାରୀ ଶ୍ରୀ ନେଗୀଙ୍କର ସହଯୋଗ ରେ ଓଡ଼ିଶା ସମାଜ ୟୁ.ଏ.ଇ. ତରଫ ରୁ ସେମାନଙ୍କର ତୁରନ୍ତ ଓଡ଼ିଶା ଫେରିବା ପାଇଁ ନିଃଶୁଳ୍କ ବିମାନ ଯାତ୍ରା ର ବ୍ୟବସ୍ଥା କରାଯାଇଛି | ଚାଟାର୍ଡ଼ ବିମାନ ବା ବନ୍ଦେ ଭାରତ ମିଶନ ମାଧ୍ୟମ ରେ ଆନ୍ତର୍ଜାତୀକ ବିମାନ ଯାତ୍ରା ର ଦିନ ଠିକ ହେବା ପର୍ଯ୍ୟନ୍ତ ଏହି ଅତ୍ୟାଚାରିତ ଶ୍ରମିକ ମାନଂକୁ ଦୁବାଇ ରେ ରହିବା ଏବଂ ଦୈନିକ ଖାଇବାର ଖର୍ଚ୍ଚ ଓ.ସ.ୟୁ.ଏ.ଇ.ଓ ଭାରତୀୟ କନସୁଲେଟ ମିଳିତ ଭାବେ ବହନ କରିବେ ବୋଲି ପ୍ରାପ୍ତ ସୂଚନା ରୁ ପ୍ରକାଶ |ଏଠାରେ ପ୍ରକାଶ ଥାଉକି ଦୁବାଇ ରେ ଅଟକି ଥିବା ଏହି ଶ୍ରମିକ ମାନଂକର ଦୟନୀୟ ସ୍ଥିତି ସଂପର୍କରେ ସେମାନେ ପ୍ରଥମେ ଚ୍ଚିତ୍ରତାରକା ସବ୍ୟସାଚୀ ମିଶ୍ରଙ୍କୁ ଟୁଇଟ୍ କରି ଜଣାଇଥିଲେ |ଶ୍ରୀ ମିଶ୍ର ଏହାର ଉତ୍ତର ରେ ରିଟୁଇଟ କରି ଦୁବାଇ ବେଶୀ ଦୂର ନୁହେଁ ବ୍ୟସ୍ତ ନ ହେବାକୁ କହି ସେମାନଂକୁ ସହାୟତା ର ଆଶ୍ୱାସନା ଦେଇଥିଲେ | ଶ୍ରୀ ମିଶ୍ରଙ୍କର ରିଟୁଇଟ ସଂପର୍କରେ ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀ, ଓଡ଼ିଶା ସମାଜ ୟୁ.ଏ.ଇ. ର ସାଧାରଣ ସଂପାଦକ ପ୍ରିତୀଶ ଦାଶଙ୍କର ଦୃଷ୍ଟି ଆକର୍ଷଣ କରିବା ପରେ ସେ ସମ୍ପୂର୍ଣ ସାହାଯ୍ୟ ର ପ୍ରତିଶୃତି ଦେଇଥିଲେ | ଏହାପରେ ଶ୍ରୀ ଦ୍ୱିବେଦୀ ଓ ସମାଜସେବୀ ପ୍ରତ୍ୟୁଷ ପଣ୍ଡା ଟୁଇଟ୍ କରି ଶ୍ରୀ ମିଶ୍ରଙ୍କୁ ଓ ଶ୍ରମିକ ମାନଙ୍କୁ ଓ.ସ.ୟୁ.ଏ. ଇ ର ସହାୟତା ନେଇ ଭରସା ସଂପର୍କରେ ଉଲ୍ଲେଖ କରିବା ସହିତ ସାଧାରଣ ସଂପାଦକ ଶ୍ରୀ ଦାଶଙ୍କର ମୋବାଇଲ ନମ୍ବର ମଧ୍ୟ ପ୍ରଦାନ କରିଥିଲେ | ପରେ ପରେ ଓ.ସ.ୟୁ.ଏ. ଇ ଓ କନସୁଲେଟ ର ପ୍ରତିନିଧି ଦଳ ଶ୍ରମିକ ମାନଙ୍କର ଅଟିକିଥିବା ସ୍ଥାନକୁ ଯାଇ, ସେମାନଙ୍କୁ ସାକ୍ଷାତ କରି ସମସ୍ତ ପ୍ରକାର ସାହାଯ୍ୟ, ସହଯୋଗ, ସମର୍ଥନ, ସହାନୁଭୂତି ଓ ସଦ୍ଦିଚ୍ଛା ପ୍ରଦାନ କରିବା ନେଇ ଆଶ୍ୱସ୍ତ କରିଥିଲେ |

Leave a Reply

Your email address will not be published. Required fields are marked *