୯୧ ବର୍ଷରେ ପାଦ ଥାପିଲେ କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକର

ନୂଆଦିଲ୍ଲୀ: ଭାରତର ସୁପ୍ରସିଦ୍ଧ ଗାୟିକା ତଥା ଭାରତରତ୍ନ ଲତା ମଙ୍ଗେସ୍‌ଙ୍କର ଆଜି ୯୧ ବର୍ଷ ବୟସରେ ପାଦ ଥାପିଛନ୍ତି। ଆଜି ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ବୟସର ସାୟାହ୍ନରେ ପହଞ୍ଚିଥିଲେ ବି ଲତାଙ୍କ କଣ୍ଠସ୍ୱରକୁ ନେଇ ଏବେବି ଆଶ୍ଚର୍ଯ୍ୟ ହେବାକୁ ପଡ଼େ। ଏହି କୋକିଳ କଣ୍ଠି ଗାୟିକା ଖୁବ କମ୍ ବୟସରୁ ହିଁ ଗୀତ ଗାଇବା ଆରମ୍ଭ କରିଥିଲେ। ପ୍ରାୟ ୮ ଦଶକ ବା ଅଶୀବର୍ଷ ଧରି ସେ ଗୀତ ଗାଇ ଚାଲିଛନ୍ତି। ଧୀରେ ଧୀରେ ସେ ଭାରତବର୍ଷର କୋଇଲି ବୋଲି ମଧ୍ୟ ପରିଚୟ ପାଇ ସାରିଛନ୍ତି। ଲତା ମଙ୍ଗେସ୍‌କର ୩୦ରୁ ଅଧିକ ଭାଷାରେ ହଜାରେରୁ ଅଧିକ ଫିଲ୍ମରେ କଣ୍ଠଦାନ କରିଛନ୍ତି। ଲତା ସେ ହେଉଛନ୍ତି ଏକମାତ୍ର ଜୀବିତ ବ୍ୟକ୍ତିତ୍ୱ ଯାହାଙ୍କ ନାଁରେ ପୁରସ୍କାର ଦିଆଯାଉଛି।ଭାରତରତ୍ନ ଉପାଧି ବିଭୂଷିତା କୋକିଳକଣ୍ଠୀ ଲତା ମଙ୍ଗେସ୍କର ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ବ ଗୀତରେ ନିଜ ସୁମଧୁର କଣ୍ଠଦାନ କରିଛନ୍ତି। ଏହି ମହାନ ଗାୟିକା ୧୯୨୯ ମସିହା ୨୮ ସେପ୍ଟେମ୍ବରରେ ଇନ୍ଦୋର ଠାରେ ଜନ୍ମ ହୋଇଥିଲେ। ଆଜି ସେ କୋଟି କୋଟି ଲୋକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି।ଲତା ମଙ୍ଗେସ୍କରଙ୍କ ପିତା ପଣ୍ଡିତ ଦୀନାନାଥ ମଙ୍ଗେସ୍କର ନିଜେ ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଓ ନାଟ୍ୟ କଳାକାର ଥିଲେ। ଲତା ମଙ୍ଗେସ୍କର ୩ ଭଉଣୀ ଓ ଗୋଟିଏ ଭାଇଙ୍କ ମଧ୍ୟରେ ସବୁଠାରୁ ବଡ଼। ତାଙ୍କ ପିଲାବେଳର ନାମ ହେମା ଥିଲା, ହେଲେ ଥରେ ଏକ ନାଟକ ଚରିତ୍ର ‘ଲତୀକା’ ନାମରେ ତାଙ୍କ ନାମ ଲତା ରଖାଯାଇଥିଲା। ସେ ୫ ବର୍ଷ ବୟସରୁ ହିଁ ତାଙ୍କ ପିତାଙ୍କ ଠାରୁ ସଙ୍ଗୀତ ଶିକ୍ଷା ଗ୍ରହଣ କରିବା ଆରମ୍ଭ କରିଥିଲେ।ଯଦିଓ ଲତା ଇନ୍ଦୋରରେ ଜନ୍ମ ଗ୍ରହଣ କରିଥିଲେ, ତାଙ୍କ ଲାଳନପାଳନ କିନ୍ତୁ ହୋଇଥିଲା ମହାରାଷ୍ଟ୍ରରେ। ସେ ୭ ବର୍ଷ ବୟସର ଥିଲାବେଳେ, ମହାରାଷ୍ଟ୍ର ଆସିଥଲେ। ତା ପୂର୍ବରୁ ମାତ୍ର ୫ ବର୍ଷ ବୟସରେ ସେ ନିଜ ବାପାଙ୍କ ସହ କଳାକାର ଭାବରେ ମଞ୍ଚରେ ଅଭିନୟ ଆରମ୍ଭ କରିଥିଲେ।

Leave a Reply

Your email address will not be published. Required fields are marked *