ଆସୁଛି ପାର୍ବଣ: ମାଆଙ୍କ ଆଗଗମନର ବାର୍ତ୍ତା ନେଇ ଫୁଟିଲାଣି କାଶତଣ୍ଡି

ସକାଳବ୍ୟୁରୋ: ସ୍ୱଚ୍ଛ ଓ ନିର୍ମଳ କାଶତଣ୍ଡି ଫୁଲ ଶରତ ଋତୁ ପ୍ରାରମ୍ଭର ସୂଚନା ଦିଏ। ଓଡ଼ିଶାର ବିଭିନ୍ନ ନଈପଠା ଓ ରାସ୍ତା କଡ଼େ କଡ଼େ ଦିଗନ୍ତ ବିସ୍ତାରି ଫୁଟୁଥିବା ଏହି ଫୁଲ ଶରତର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିବା ସହ ଦେଖଣାହାରୀଙ୍କୁ ମତୁଆଲା କରିଦିଏ। ପ୍ରକୃତିର ଏହି ଅପୂର୍ବ ତଥା ଅନନ୍ୟ ସୃଷ୍ଟିର ଆଗମନ ସହ ମା’ ଦୁର୍ଗା ଧରାବତରଣ କରିଥାନ୍ତି।ଆସୁଛି ପାର୍ବଣ, ମାଆଙ୍କ ଆଗଗମନର ବାର୍ତ୍ତା ନେଇ ଫୁଟିଲାଣି କାଶତଣ୍ଡି। ଧରାପୃଷ୍ଠକୁ ଓହ୍ଲାଇବେ ଜଗତଜନନୀ ମା ଦୁର୍ଗା । ମାଙ୍କ ସ୍ୱାଗତରେ ବାହୁମେଲାଇ ବସିଲାଣି କାଶତଣ୍ଡୀ ଫୁଲ। ପ୍ରକୃତି ରାଣୀ ସଜେଇ ହେଲାଣି। ଶାରଦୀୟ ପୂଜା ସମୟରେ ନାନାଦି ଫୁଲର ବାସ୍ନା ମା ଙ୍କ ଆଗମନ କୁ ସୁଗନ୍ଧିତ କରୁଛି । ଚଉଦିଗରେ ଏବେ ଭରି ରହିଛି ମାଳମାଳ କାଶତଣ୍ଡୀ । ସତେ ଯେମିତି ରାସ୍ତା କଡରୁ ଦୂରଦିଗନ୍ତ ପର୍ଯ୍ୟନ୍ତ ଧରଣୀ ରାଣୀ ଓଢି ହୋଇଛି ଧଳା ଚାଦର । ଶୁଭ୍ର ଆକାଶ ତଳେ ରାସ୍ତା କଡ଼ଠାରୁ ନଈ ପଠା ପର୍ଯ୍ୟନ୍ତ ପସରା ମେଲିଛି କାଶତଣ୍ଡୀର ଆସର। ସୁଲୁସୁଲିଆ ପବନର ଦୋଳି ଖେଳୁଥିବା କାଶତଣ୍ଡୀକୁ ଦେଖି କ୍ଷଣିଏ ଅଟକି ଯାଉଛି ବାଟୋଇ, ଆନମନା ହେଉଛି କବି ମନ । ଶରତ ଆଗମନରେ ଜଗତ ଜନନୀ ମା ଦୂର୍ଗାଙ୍କୁ ଆବାହନ କରି କାଶତଣ୍ଡୀ ଧରାପୃଷ୍ଠକୁ ଶୋଭାମଣ୍ଡନ କରୁଛି ।ଏହିଫୁଲ ଓଡ଼ିଆ ସଂସ୍କୃତି ସହ ମଧ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ରେଖା ପାଞ୍ଚମୀରେ କାଶତାଣ୍ଡି ଫୁଲର ବେଣୀ ଘର କବାଟରେ ବାନ୍ଧି ପୂଜା କରାଯାଏ । ଆଉ କାଶତଣ୍ଡିର ବେଳାୟିତ ଚାମରରେ ମା ଦୁର୍ଗା ଧରବତାରଣ କରନ୍ତି ବୋଲି ବିଶ୍ୱାସ ରହିଛି ।ଶରତ ଋତୁରେ ଆଗମନ ଠାରୁ ଆରମ୍ଭ କରି ଶାରଦୀୟ ଦୁର୍ଗାପୂଜାର ପ୍ରତୀକ କାଶତାଣ୍ଡି ଫୁଲ ଧରାପୃଷ୍ଠରେ ନିଜ ସୌନ୍ଦର୍ଯ୍ୟ ସଦା ବିକିରଣ କରିଥାଏ ।

Leave a Reply

Your email address will not be published. Required fields are marked *