ଅନ୍ଧ ବୋଲି ସବୁଠୁ ମିଳିଲା ପ୍ରତ୍ୟାଖ୍ୟାନ; ଆଜି ୪ ଟି କମ୍ପାନୀର ମାଲିକ, ଜାଣନ୍ତୁ ତାଙ୍କ ବିଷୟରେ

ସମାଜ ତାଙ୍କୁ ବାରମ୍ବାର ଉପେକ୍ଷା କରୁଥିଲା । ଲୋକେ ତାଙ୍କ ଅକ୍ଷମତାକୁ ଉପହାସରେ ଉଡାଇ ଦେଉଥିଲେ । ହତୋତ୍ସାହିତ କରି ତାଙ୍କ ଗୋଡ ଟାଣୁଥିଲା। ହେଲେ ସେ କେବେ ବି ଦବି ଯାଇନଥିଲେ । ପ୍ରତିଥର ସଳଖି ଛିଡା ହେଉଥିଲେ ଓ ଆଗକୁ ବଢୁଥିଲେ । ନିଜର ଦୃଷ୍ଟିହୀନତାକୁ ଅଭିଶାପ ନୁହେଁ ଚ୍ୟାଲେଞ୍ଜ ଭାବେ ନେଇ ସବୁ ପରିସ୍ଥିତିକୁ ସାମ୍ନା କରୁଥିଲେ ୨୬ ବର୍ଷୀୟ ଶ୍ରୀକାନ୍ତ । ତାଙ୍କ ସଂଘର୍ଷର କାହାଣୀ ଅବିଶ୍ୱାସ ହେଲେ ବି ସତ । ନିଜ ଦକ୍ଷତା ବଳରେ ସେ ଆଜି ୫୦ କୋଟିର ବୋଲାଣ୍ଟ ଇଣ୍ଡଷ୍ଟ୍ରି (Bollant Industries) ବା ପୁନଃ ବ୍ୟବହାର ହୋଇପାରୁଥିବା ଖାଦ୍ୟ ପ୍ଲେଟ୍ ପ୍ରସ୍ତୁତି କମ୍ପାନୀ ଠିଆ କରି ପାରିଛନ୍ତି ।

ଶ୍ରୀକାନ୍ତ ବୋଲ୍ଲା ଜନ୍ମରୁ ଦୃଷ୍ଟିହୀନ ଥିଲେ । ଆଖପାଖ ଲୋକେ ତାଙ୍କର ଏହି ଅନ୍ଧତ୍ୱକୁ ଅଭିଶାପ ଆଖ୍ୟା ଦେଉଥିଲେ । ସମୟ ବଢିବା ସହ ଏସବୁ ଉପହାସ ସୀମା ଲଙ୍ଘୁଥିଲା । ହେଲେ ଶ୍ରୀକାନ୍ତ ଏହାକୁ ଅତିକ୍ରମ କରି ଚାଲିଥିଲେ । ଗାଁରେ ସେ ପଢୁଥିବା ସ୍କୁଲ କେବେ ବି ଶ୍ରୀକାନ୍ତଙ୍କ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ଚିହ୍ନି ପାରିନଥିଲା । ସ୍କୁଲ ପଢା ଶେଷ ପରେ ସେ ବିଜ୍ଞାନରେ କ୍ୟାରିଅର ଆଗକୁ ନେବାକୁ ଚାହୁଁଥିଲେ । ହେଲେ ସେ ଭିନ୍ନକ୍ଷମ ହୋଇଥିବାରୁ ତାଙ୍କୁ ଏହି ସୁଯୋଗ ମିଳିଲାନି । ହେଲେ ଶ୍ରୀକାନ୍ତ କାହା କଥାରେ ଦବି ନ ଯାଇ ନିଜ ନାର୍ଯ୍ୟ ଅଧିକାର ହାସଲ କରିବାକୁ ସମାଜର ବ୍ୟବସ୍ଥା ସହ ଲଢେଇ କରିଥିଲେ । ଆଉ ଶେଷରେ ସେ ଅନ୍ତର୍ଜାତୀୟ ସ୍ତରରେ ପ୍ରଥମ ଦୃଷ୍ଟିହୀନ ଛାତ୍ର ଭାବେ ଆମେରିକାର ପ୍ରତିଷ୍ଠିତ Massachusetts Institute of Technology (MIT)ରେ ପଢିଥିଲେ ।ଏବେ ଶ୍ରୀକାନ୍ତଙ୍କ କମ୍ପାନୀର ୪ଟି ଉତ୍ପାଦନ ପ୍ଲାଂଟ (production plant) ଅଛି । କର୍ଣ୍ଣାଟକର ହୁଗୁଳି ଓ ତେଲେଙ୍ଗାନାର ନିଜାମାବାଦ୍ ରେ କମ୍ପାନୀର ଦୁଇଟି ପ୍ଲାଂଟ ରହିଛି । ସେହିପରି ତେଲେଙ୍ଗାନାରେ ଆଉ ଦୁଇଟି ପ୍ଲାଂଟ ଅଛି ।

ଭବିଷ୍ୟତରେ ସୌରଶକ୍ତିରେ ଚାଲି ପାରୁଥିବା ଆଉ ଗୋଟିଏ ପ୍ଲାଂଟ ଆନ୍ଧ୍ରପ୍ରଦେଶର ଶ୍ରୀଶ୍ରୀ ବିଜନେସ୍ ସିଟିରେ କାମ ଚାଲିଛି ।ବହୁ ଲୋକେ ଶ୍ରୀକାନ୍ତଙ୍କ କାମରେ ଅନୁପ୍ରାଣିତ ହୋଇ ସାମିଲ ହେବାକୁ ଆଗେଇ ଆସିଛନ୍ତି। ବିଭିନ୍ନ ମାଧ୍ୟମରେ ସେ ଏବେସୁଦ୍ଧା ପ୍ରାୟ ୩ ହଜାର ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଠପଢା ଓ ପୁନର୍ବାସ ପାଇଁ ପ୍ରମୁଖ ଭୂମିକା ନେଇଛନ୍ତି । ଆଉ ସେମାନଙ୍କର ନିଯୁକ୍ତି ସୁଯୋଗ ପାଇଁ ସେ ଏହି (Bollant Industries ) ଠିଆ କରିଛନ୍ତି । ଏହା ମାଧ୍ୟମରେ ସେ ପ୍ରାୟ ୧୫୦ଜଣ ଭିନ୍ନକ୍ଷମଙ୍କୁ ନିଜ ଗୋଡରେ ଛିଡା ହେବାକୁ ରାହା ଦେଖାଇଛନ୍ତି ।ସେ ଏବେ ହାଇଦ୍ରାବାଦ୍ ରେ ସ୍ଥାପିତ ବୋଲାଣ୍ଟ ଇଣ୍ଡଷ୍ଟ୍ରିର ସିଇଓ ବା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ । ଏହି କମ୍ପାନୀ ଶିକ୍ଷା ପାଇନଥିବା ଅଣକୁଶଳୀ ଓ ଭିନ୍ନକ୍ଷମ ବେକାରୀଙ୍କୁ ସ୍ୱାବଲମ୍ବୀ କରୁଛି ।

ସେମାନେ ଏଥିରେ ରହି ଡିସପୋଜେବଲ୍ ପ୍ୟାକେଜିଂ ସୋଲୟୁସନ୍ ଉପରେ କାମ କରୁଛନ୍ତି । ଶ୍ରୀକାନ୍ତ କୁହନ୍ତି ସେ ହେଉଛନ୍ତି ବିଶ୍ୱର ସବୁଠୁ ଭାଗ୍ୟବାନ୍ ଲୋକ । ଏଥିପାଇଁ ନୁହେଁ ଯେ ସେ ଜଣେ କୋଟିପତି । ସେ ଭାଗ୍ୟବାନ କାରଣ ପାଠ ପଢିଥିବା ତାଙ୍କ ବାପା’ମା ସମାଜର ଯାବତୀୟ ଉପହାସ ଓ ତାତ୍ସଲ୍ୟକୁ ନ ଶୁଣି ତାଙ୍କୁ ପାଠ ପଢିବାକୁ ସୁଯୋଗ ଦେଲେ ।

Leave a Reply

Your email address will not be published. Required fields are marked *