ଆଇଆଇଏମ୍‍ସିର ୫୬ ତମ ପ୍ରତିଷ୍ଠା ଦିବସ ପାଳିତ

ଢେଙ୍କାନାଳ: ଲୋକଙ୍କୁ କେବଳ ସୂଚନା ଦେଇଦେଲେ ହେବନି, ବରଂ ଲୋକଙ୍କୁ ଶିକ୍ଷିତ କରିବା ସହ ସେମାନଙ୍କ ନିକଟରେ ସଠିକ୍‍ ଖବର ପହଞ୍ଚାଇବାକୁ ପଡ଼ିବ । କୌଣସି ବାହ୍ୟ ଶକ୍ତିର ଚାପରେ ପ୍ରଭାବିତ ନହୋଇ ଗଣମାଧ୍ୟମ ସବୁବେଳେ ସମାଜର କଲ୍ୟାଣ ଉଦ୍ଦେଶ୍ୟ ରଖି କାର୍ଯ୍ୟ କରିବା ଦରକାର ବୋଲି କହିଛନ୍ତି ତ୍ରିପୁରା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗୀୟ ମୁଖ୍ୟ ପ୍ରଫେସର ଆଦିତ୍ୟ ମହାନ୍ତି ।
ସୋମବାର ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ର ୫୬ତମ ପ୍ରତିଷ୍ଠା ଦିବସ ତଥା ଆଇଆଇଏମ୍‍ସି ଢେଙ୍କାନାଳର ୨୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏହି ଅବସରରେ ପୂର୍ବାହ୍ଣରେ ଅନୁଷ୍ଠିତ ଏକ ଇ-ବକ୍ତୃତା କାର୍ଯ୍ୟକ୍ରମରେ ଯୋଗଦେଇ ‘ଗଣମାଧ୍ୟମ ଓ ସାମାଜିକ ସଂସ୍କାର’ ଉପରେ ପ୍ରତିଷ୍ଠା ଦିବସ ବକ୍ତୃତା ପ୍ରଦାନ କରି ପ୍ରଫେସର ମହାନ୍ତି କହିଛନ୍ତି, ଏକ ସମୃଦ୍ଧ ସମାଜ ଗଠନ ପାଇଁ ଗଣମାଧ୍ୟମର ବେଶ୍‍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସାମାଜିକ ସଂସ୍କାର ଆଣିବା ଦିଗରେ ଗଣମାଧ୍ୟମ ହିଁ କାର୍ଯ୍ୟ କରିଆସୁଛି । ତେବେ ଆଜିକାଲି କିଛି ଗଣମାଧ୍ୟମ ପକ୍ଷପାତିତା କରୁଛନ୍ତି । ରାଜନୈତିକ ଚାପରେ ହେଉ କି କର୍ପୋରେଟ ଚାପ କିମ୍ବା ଧାର୍ମିକ ସମର୍ଥନ ଆଦି ଗଣମାଧ୍ୟମକୁ ପ୍ରଭାବିତ କରୁଛି । ଯାହାଫଳରେ ସାଧାରଣ ଲୋକଙ୍କ ଆସ୍ଥା ଧୀରେଧୀରେ ଗଣମାଧ୍ୟମ ଉପରୁ ତୁଟିବାରେ ଲାଗିଛି । ଏମିତି ଏକ ସ୍ଥିତିରେ ଗଣମାଧ୍ୟମ ନିଜ ଦାୟିତ୍ୱକୁ ଠିକଣା ପ୍ରତିପାଦନ କରିବା ଆବଶ୍ୟକ । ଲୋକଙ୍କ ବିଶ୍ୱାସ କିପରି ଅକ୍ଷୁଣ୍ଣ ରହିବ, ସେନେଇ ଗଣମାଧ୍ୟମ ଚିନ୍ତା କରିବା ଉଚିତ । ଏ ଦିଗରେ ଗଣମାଧ୍ୟମ କର୍ମୀଙ୍କର ଏକ ବଡ଼ ଭୂମିକା ରହିଛି । ଆଜିକାଲିର ସାମାଜିକ ଗଣମାଧ୍ୟମ ଯୁଗରେ ଲୋକଙ୍କ ମତକୁ ସବୁଠାରୁ ଅଧିକ ଗୁରୁତ୍ୱ ଦେବା ସହ ନିଜେ କିପରି ନିରପେକ୍ଷଭାବେ ଖବର ପରିବେଷଣ କରିବେ ସେଥିପ୍ରତି ଦୃଷ୍ଟି ଦେବା ଜରୁରୀ । ଅବଶ୍ୟ ଏ ଦିଗରେ କେତୋଟି ସମସ୍ୟା ରହିଛି । କାରଣ, ଅଧିକାଂଶ ଗଣମାଧ୍ୟମର ମାଲିକାନା କୌଣସି ବ୍ୟକ୍ତି ବା କର୍ପୋରେଟ ହାଉସ୍‍ ଅଧୀନରେ ରହିଛି । ଏଣୁ ଖବର ପରିବେଷଣବେଳେ ସବୁବେଳେ ନିରପେକ୍ଷତା ରଖିହେଉନି । ତେବେ ଯଥାସମ୍ଭବ ପକ୍ଷପାତିତାଠାରୁ ଦୂରେଇ ରହିବା ସାମ୍ବାଦିକଙ୍କ ଧର୍ମ ହେଉ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଏଥିପାଇଁ ଗଣମାଧ୍ୟମ ଶିକ୍ଷାର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସାମ୍ବାଦିକଙ୍କ ଉତ୍ତରଦାୟିତ୍ୱ କ’ଣ ହେବା ଉଚିତ, ସେମାନଙ୍କ ଶକ୍ତି କ’ଣ, ସମାଜର ହିତ ପାଇଁ ସେମାନେ କିପରି କାର୍ଯ୍ୟ କରିପାରିବେ ଆଦି ଅନେକ କଥା ଉଚିତ ଗଣମାଧ୍ୟମ ଶିକ୍ଷା ଦ୍ୱାରା ଜାଣିହେବ ବୋଲି ସେ ପ୍ରକାଶ କରିଛନ୍ତି ।
ପ୍ରାରମ୍ଭିକ ଭାଷଣରେ ଆଇଆଇଏମ୍‍ସିର ମହାନିର୍ଦ୍ଦେଶକ ଡ. ସଞ୍ଜୟ ଦ୍ୱିବେଦୀ କହିଛନ୍ତି, ଆଇଆଇଏମ୍‍ସି କେବଳ ଭାରତରେ ନୁହେଁ, ବରଂ ସମଗ୍ର ବିଶ୍ୱରେ ଗଣମାଧ୍ୟମ ଶିକ୍ଷା କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ଓ ପରିଚୟ ରଖିଛି । ଏହା ଏମିତି ଏକ କ୍ୟାମ୍ପସ୍‍ ଯେଉଁଠି ଜ୍ଞାନର ଆଲୋଚନା ହୁଏ, ଆଗାମୀ ସମୟର ଚର୍ଚ୍ଚା ହୁଏ । ସେହିପରି ଓଡ଼ିଆ ସାମ୍ବାଦିକତାର ଭୂମିକା ଉପରେ ଆଲୋକପାତ କରି ସେ କହିଛନ୍ତି, ସ୍ୱାଧୀନତା ଆନ୍ଦୋଳନଠାରୁ ଆରମ୍ଭ କରି ସମାଜ ତଥା ରାଷ୍ଟ୍ର ଗଠନରେ ଓଡ଼ିଆ ଗଣମାଧ୍ୟମର ଉଲ୍ଲେଖନୀୟ ଯୋଗଦାନ ରହିଛି । ଏଥିସହିତ ଓଡ଼ିଆ ସାହିତ୍ୟ, ସଂସ୍କୃତି, ଲୋକକଳା ଓ ଲୋକଜୀବନ ବେଶ୍‍ ସମୃଦ୍ଧ । ଏମିତି ଏକ ମହତ୍ତ୍ୱପୂର୍ଣ୍ଣ ପ୍ରାନ୍ତରରେ ଆଇଆଇଏମ୍‍ସିର ଏକ ପରିସର ହେବା ସମସ୍ତଙ୍କୁ ଗୌରବରେ ଭରିଦେଉଛି ।
ଏହି ଅବସରରେ ଆଇଆଇଏମ୍‍ସି ଢେଙ୍କାନାଳ ପକ୍ଷରୁ ପ୍ରକାଶିତ ମନୋଗ୍ରାଫ୍‍ ‘କୃଷି ସାମ୍ବାଦିକତା’ ଉନ୍ମୋଚନ କରି ଆଇଆଇଏମ୍‍ସିର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଛନ୍ତି, ଭାରତରେ ଖବରକାଗଜ ଆରମ୍ଭ ହେବାଠାରୁ କୃଷି ସାମ୍ବାଦିକତାକୁ ଗୁରୁତ୍ୱ ଦିଆଯାଉଥିଲା । ତେବେ କିଛି ବର୍ଷ ହେବ ଏହାକୁ ଟିକିଏ କମ୍‍ ଗୁରୁତ୍ୱ ଦିଆଯାଉଥିବା ଦେଖିବାକୁ ମିଳୁଛି । ଖୁବ୍‍ ବେଶୀ ଗଣମାଧ୍ୟମ ସଂସ୍ଥାରେ ଏକ ସ୍ୱତନ୍ତ୍ର ବିଭାଗ ଭାବେ କୃଷି ସାମ୍ବାଦିକତା ରହୁନି । ଅନ୍ୟପକ୍ଷରେ ଦେଶର ଅର୍ଥନୀତି ତଥା ସାମାଜିକ ବିକାଶରେ କୃଷିର ବେଶ୍‍ ଭୂମିକା ରହିଛି । ଏମିତି ଏକ ସମୟରେ କୃଷି ସାମ୍ବାଦିକତାର ଗୁରୁତ୍ୱ ତଥା ଏହାର ବିଭିନ୍ନ ଦିଗକୁ ନେଇ ସଂସ୍ଥାନ ପକ୍ଷରୁ ଏକ ମନୋଗ୍ରାଫ୍‍ ପ୍ରକାଶନ କରାଯାଇଛି । ଏହି ଦ୍ୱିଭାଷୀ ମନୋଗ୍ରାଫ୍‍ଟିରେ ଦେଶର ବିଭିନ୍ନ ସାମ୍ବାଦିକ, ଗଣମାଧ୍ୟମ ଶିକ୍ଷାବିତ ତଥା ଗବେଷଣା ଶିକ୍ଷାର୍ଥୀଙ୍କ ମୋଟ ୨୭ଟି ପ୍ରବନ୍ଧ, ଗବେଷଣା ନିବନ୍ଧ ଏବଂ ସେମି-ଆକାଡେମିକ ସନ୍ଦର୍ଭ ସ୍ଥାନ ପାଇଛି । ଡ. ମୃଣାଳ ଚାଟାର୍ଜୀ ଏହାର ମୁଖ୍ୟ ସମ୍ପାଦନା କରିଥିବାବେଳେ ସମ୍ପାଦନା କରିଛନ୍ତି ସହକାରୀ ପ୍ରଫେସର ଡ. ଜ୍ୟୋତି ପ୍ରକାଶ ମହାପାତ୍ର ।
ସେହିପରି ଭାରତରେ ଗଣମାଧ୍ୟମ ଶିକ୍ଷାର ୧୦୦ ବର୍ଷ ଅବସରରେ ଅପରାହ୍ଣ ସାଢ଼େ ୪ଟାରେ ଅନୁଷ୍ଠିତ ‘ଡିଜିଟାଲ ଯୁଗରେ ଗଣମାଧ୍ୟମ ଶିକ୍ଷା’ ଶୀର୍ଷକ ଏକ ଇ-ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି । ଏଥିରେ ଯୋଗଦେଇ ଆଇଆଇଏମ୍‍ସିର ପୂର୍ବତନ ମହାନିର୍ଦ୍ଦେଶକ ପ୍ରଫେସର ବି.ପି. ସଞ୍ଜୟ କହିଛନ୍ତି, ବର୍ତ୍ତମାନର ଡିଜିଟାଲ ଯୁଗରେ ଉଭୟ ସାମ୍ବାଦିକ ତଥା ଗଣମାଧ୍ୟମ ଶିକ୍ଷକଙ୍କ ପାଇଁ ଅନେକ ଆହ୍ୱାନ ରହିଛି । ବିଶେଷତଃ ଆଜିକାଲି ଫେକ୍‍ ନିଉଜ୍‍ ବା ଜାଲି ଖବରକୁ ନେଇ ସମସ୍ତେ ଚିନ୍ତିତ । ତେବେ ଖବର କେବେ ଜାଲି ହୋଇନପାରେ ଆଉ ଯାହା ଜାଲି ତାହା କେବେ ଖବର ହୋଇନପାରେ । ଦୁଃଖର କଥା, ବର୍ତ୍ତମାନର ଡିଜିଟାଲ ଜ୍ଞାନକୌଶଳ ଯୋଗୁଁ କିଛି ଲୋକ ଏହିପରି ଜାଲି ସୂଚନା ଓ ତଥ୍ୟ ପ୍ରସ୍ତୁତ କରୁଛନ୍ତି ଏବଂ ତାକୁ ପ୍ରସାର କରୁଛନ୍ତି । ଏସବୁ ନିଶ୍ଚିତଭାବେ ଆମ ସମାଜ ଉପରେ ନକାରାତ୍ମକ ପ୍ରଭାବ ପକାଉଛି । ଏମିତିକି କିଛି ଗଣମାଧ୍ୟମ ସଂସ୍ଥା ବେଳେବେଳେ ଏମିତି ଜାଲି ସୂଚନାକୁ ଯାଞ୍ଚ୍‍ ନକରି ଖବର ପରିବେଷଣ କରିଦେଉଛନ୍ତି । ଏହା ଆଦୌ ଗ୍ରହଣୀୟ ନୁହେଁ । ଏଥିପାଇଁ ସାମ୍ବାଦିକମାନେ ଖୁବ୍‍ ସଚେତନ ରହିବା ଜରୁରୀ । ଏହାସହିତ ଅନେକ ସମୟରେ ଗଣମାଧ୍ୟମ ଶିକ୍ଷା ଓ ବ୍ୟାବହାରିକ ଗଣମାଧ୍ୟମ ମଧ୍ୟ ଏକ ବଡ଼ ଫାଙ୍କ ରହୁଛି ବୋଲି ଆଲୋଚନା ହୁଏ । ବାସ୍ତବରେ ଏହା କିଛି କ୍ଷେତ୍ରରେ ଠିକ୍‍ । ଏଥିପାଇଁ ଗଣମାଧ୍ୟମ ଶିକ୍ଷାନୁଷ୍ଠାନ ଓ ଶିକ୍ଷାବିତମାନଙ୍କର ଗୁରୁ ଦାୟିତ୍ୱ ରହିଛି । ଏ ଦୁଇଟି ଭିତରେ ଥିବା ଅନ୍ତରକୁ ଦୂର କରି କିପରି ଏକ ସେତୁ ପ୍ରତିଷ୍ଠା କରିହେବ ଏବଂ ନୈତିକ ସାମ୍ବାଦିକତାର ମୂଲ୍ୟବୋଧକୁ ସମାଜରେ ପ୍ରତିଫଳିତ କରିହେବ, ସେନେଇ ଅଧିକ ପ୍ରଚେଷ୍ଟା କରିବା ଉଚିତ ବୋଲି ସେ ପ୍ରକାଶ କରିଛନ୍ତି ।
ଅନ୍ୟତମ ବକ୍ତାଭାବେ ଯୋଗଦେଇ ଏନ୍‍ଡିଟିଭିର ବରିଷ୍ଠ ସାମ୍ବାଦିକ ମନିଦୀପା ବାନାର୍ଜୀ କହିଛନ୍ତି, ସାମ୍ବାଦିକତାରେ ରାଜା ହେଉଛି କଣ୍ଟେଣ୍ଟ ବା ବିଷୟବସ୍ତୁ । ମୁଦ୍ରିତ, ଟେଲିଭିଜନ, ରେଡିଓ, ଡିଜିଟାଲ ସେ ଯେକୌଣସି ମଞ୍ଚ ହୋଇଥାଉନା ତେଣିକି, ତଥ୍ୟ ହିଁ ସବୁବେଳେ ସବୁଠି ସବୁଠୁଁ ଅଧିକ ଗୁରୁତ୍ୱ ବହନ କରେ । ତେବେ ସାମ୍ବାଦିକମାନେ ଇଣ୍ଟରନେଟ୍‍ରେ ଦେଖୁଥିବା ସବୁ ତଥ୍ୟ ବା ସୂଚନାକୁ ଆଖିବୁଜି ଭରସା କରିଦେବା ଉଚିତ ନୁହେଁ । ତାକୁ ଭଲଭାବେ ବିଭିନ୍ନ ସୂତ୍ରରୁ ପରଖିବା ଦରକାର । ଆବଶ୍ୟକସ୍ଥଳେ ଲାଇବ୍ରେରୀ ଯାଇ ମଧ୍ୟ ତଥ୍ୟ ଖୋଜିପାରିବେ । ତେବେ ଗଣମାଧ୍ୟମ ଶିକ୍ଷା କ୍ଷେତ୍ରରେ ମଧ୍ୟ କିଛିଟା ପରିବର୍ତ୍ତନ ଲୋଡ଼ା । ଶିକ୍ଷାର୍ଥୀଙ୍କୁ ଭିନ୍ନ ଭିନ୍ନ ମଞ୍ଚ ପାଇଁ ଲିଖନ ଶୈଳୀ, ରିପୋର୍ଟିଂ ଶୈଳୀ ଶିଖାଇବା ସହ ତଥ୍ୟ ପରଖିବା, ଜାଲି ସୂଚନାକୁ ଯାଞ୍ଚ୍‍ କରିବା ଆଦି ବିଭିନ୍ନ କୌଶଳ ଶିଖାଇବା ଆବଶ୍ୟକ ବୋଲି ସେ କହିଛନ୍ତି ।
ପୁନେସ୍ଥିତ ଏସ୍‍ପିପି ବିଶ୍ୱବିଦ୍ୟାଳୟର ପ୍ରଫେସର ଉଜ୍ଜ୍ୱାଲା ବାର୍ଭି କହିଛନ୍ତି, ସାମ୍ବାଦିକତା ଶିକ୍ଷାରେ ବ୍ୟାବହାରିକ ତାଲିମ୍‍ ଏକ ମୁଖ୍ୟ ଦିଗ । ଖୁସିର କଥା, ଆଜିକାଲିର ଶିକ୍ଷାର୍ଥୀମାନେ ଡିଜିଟାଲ ଟେକ୍ନୋଲୋଜି କ୍ଷେତ୍ରରେ ବେଶ୍‍ ଆଗୁଆ । ବିଦ୍ୟାଳୟସ୍ତରରୁ, ମହାବିଦ୍ୟାଳୟସ୍ତରରୁ ସେମାନେ ମୋବାଇଲ୍‍ରେ ଭିଡିଓ କରିବା, ଏଡିଟିଂ କରିବା, ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା, ୟୁଟ୍ୟୁବ୍‍ ଚ୍ୟାନେଲ୍‍ ଖୋଲି ସେଥିରେ କଣ୍ଟେଣ୍ଟ ଅପ୍‍ଲୋଡ୍‍ କରିବା, ୱେବ୍‍ ପୋର୍ଟାଲ୍‍ରେ ଖବର ଲେଖିବା ଆଦି ବିଭିନ୍ନ କାର୍ଯ୍ୟ କରୁଛନ୍ତି । ଏଣୁ ସେମାନଙ୍କୁ ଲିଖନ, ଫଟୋଗ୍ରାଫି ଓ ଭିଡିଓଗ୍ରାଫିର କଳା ଆଦି ଉପରେ ଅଧିକ ଗୁରୁତ୍ୱ ଦେବାକୁ ହେବ । ଡିଜିଟାଲ୍‍ ସୂତ୍ର ବ୍ୟବହାର କରି କିପରି ସେମାନେ ସମାଜର ହିତ ପାଇଁ ଅଧିକ ଗବେଷଣା କରିପାରିବେ ଓ ଖବର ପ୍ରସ୍ତୁତ କରିପାରିବେ, ସେନଇ ସେମାନଙ୍କୁ ଧାରଣା ଦେବା ଉଚିତ ବୋଲି ସେ ସ୍ପଷ୍ଟ କରିଛନ୍ତି ।
ଗୌହାଟୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଅଙ୍କୁରନ୍‍ ଦତ୍ତ କହିଛନ୍ତି, ନୂଆ ପିଢ଼ିର ଶିକ୍ଷାର୍ଥୀମାନଙ୍କୁ ଡେଟା ଭିଜୁଆଲାଇଜେସନ୍‍, ଡିଜିଟାଲ୍‍ ଷ୍ଟୋରୀ ଟେଲିଂ, ସାମାଜିକ ଗଣମାଧ୍ୟମ ପରିଚାଳନା, କଣ୍ଟେଣ୍ଟ ଜେନେରେସନ୍‍ ଆଦି ସମ୍ପର୍କରେ ଧାରଣା ଦେବାକୁ ହେବ । ବର୍ତ୍ତମାନର ଡିଜିଟାଲ୍‍ ଯୁଗରେ ଏସବୁର ଆଦର ଓ ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି । ସେହିପରି ଅନେକ ସଂସ୍ଥା ଗବେଷଣାକୁ ବେଶ୍‍ ଗୁରୁତ୍ୱ ଦେଉଛନ୍ତି । ତେଣୁ ଗବେଷଣା କରିବାର ଦକ୍ଷତା ଥିବା ଶିକ୍ଷାର୍ଥୀଙ୍କୁ ଅଧିକ ସୁଯୋଗ ମିଳୁଛି । ଏଦିଗରେ ଗଣମାଧ୍ୟମ ଶିକ୍ଷାବିତ୍‍ମାନେ ଅଧିକ ଧ୍ୟାନ ଦେଇ ସେଇ ଅନୁସାରେ ନିଜର ରୋଡ୍‍ ମ୍ୟାପ୍‍ ପ୍ରସ୍ତୁତ କରିବା ଆବଶ୍ୟକ ।
ପ୍ରାରମ୍ଭିକ ଭାଷଣ ପ୍ରଦାନ କରି ଆଇଆଇଏମ୍‍ସି ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ମୃଣାଳ ଚାଟାର୍ଜୀ କହିଛନ୍ତି, ଡିଜିଟାଲ୍‍ ଟେକ୍ନୋଲୋଜି ବର୍ତ୍ତମାନର ସବୁଠୁଁ ବଡ଼ ଗେମ୍‍ ଚେଞ୍ଜର । ଡିଜିଟାଲ୍‍ ଟେକ୍ନୋଲୋଜିର ସହଜ ଉପଲବ୍ଧତା, ଆଦର ଓ ଚାହିଦା ଫଳରେ ଗଣମାଧ୍ୟମ କ୍ଷେତ୍ରରେ ମଧ୍ୟ ଅନେକଟା ପରିବର୍ତ୍ତନ ଆସିଛି । ବିଷୟବସ୍ତୁ ପ୍ରସ୍ତୁତି, ଉପସ୍ଥାପନା ଆଦି ଅନେକ ଦିଗରେ ପରିବର୍ତ୍ତନ ହୋଇଚାଲିଛି । ସାଧାରଣ ଲୋକେ ମଧ୍ୟ ସାମାଜିକ ଗଣମାଧ୍ୟମ ବ୍ୟବହାର କରି ସହଜରେ କଣ୍ଟେଣ୍ଟ ପ୍ରସ୍ତୁତ କରିପାରୁଛନ୍ତି ଏବଂ ଏହାକୁ ବିଶ୍ୱବ୍ୟାପୀ ପହଞ୍ଚାଇପାରୁଛନ୍ତି । ଏମିତି ଏକ ସ୍ଥିତିରେ ସବୁଠୁଁ ବଡ଼ ଆହ୍ୱାନ ହୋଇ ଠିଆ ହୋଇଛି ଜାଲି ଖବର । କିଛି ଲୋକ ମିଛ ସୂଚନା ଓ ତଥ୍ୟକୁ ଖବରର ରୂପ ଦେଇ ଚାରିଆଡ଼େ ପ୍ରସାର କରୁଛନ୍ତି । ଏଣୁ ଏହାକୁ ରୋକିବା ପାଇଁ ଏକ ଉପଯୁକ୍ତ ରୋଡ୍‍ମ୍ୟାପ୍‍ ପ୍ରସ୍ତୁତ କରିବାକୁ ହେବ । ସେହିପରି ଉଭୟ ଗଣମାଧ୍ୟମ କର୍ମୀ ଓ ଗଣମାଧ୍ୟମ ପାଠ୍ୟକ୍ରମ ଭିତରେ ଏକ ସନ୍ତୁଳନ ରକ୍ଷା କରିବାକୁ ହେବ । ଏସବୁ ଉପରେ ଆଲୋଚନାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।
ଇ- ବକ୍ତୃତା ଓ ଇ-ଆଲୋଚନାଚକ୍ରକୁ ସଞ୍ଚାଳନ କରିଛନ୍ତି ଆଇଆଇଏମ୍‍ସି ଢେଙ୍କାନାଳର ସହକାରୀ ପ୍ରଫେସର ସମ୍ବିତ ପାଲ । ଆଲୋଚନା ପରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ଦର୍ଶକଙ୍କ ପ୍ରଶ୍ନଗୁଡ଼ିକର ଉତ୍ତର ରଖିଥିଲେ ପ୍ୟାନେଲିଷ୍ଟ ।
ଆଇଆଇଏମ୍‍ସି, ଢେଙ୍କାନାଳ କ୍ୟାମ୍ପସ୍‍ରେ ସକାଳେ ପ୍ରତିଷ୍ଠା ଦିବସ ପତାକା ଉତ୍ତୋଳନ କରିଛନ୍ତି ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ ।

Leave a Reply

Your email address will not be published. Required fields are marked *