ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ: ଜାଣନ୍ତୁ ଓଡ଼ିଶାରେ ବାଘଙ୍କ ସଂଖ୍ୟା ଓ ସ୍ଥିତି ସମ୍ପର୍କରେ

ଭୁବନେଶ୍ୱର: ଆଜି ହେଉଛି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ । ବିଶ୍ୱରେ ଦିନକୁ ଦିନ ଏହି ପ୍ରାଣୀଙ୍କ ବଂଶ ଲୋପ ପାଉଥିବାରୁ ଏହାର ସଂରକ୍ଷଣ ନିମନ୍ତେ ଏହି ଦିବସ ପାଳନ କରାଯାଉଛି । ତେବେ ଆସନ୍ତୁ ଆଜି ଜାଣିବା ଓଡ଼ିଶାରେ ବାଘଙ୍କ ସ୍ଥିତି ଓ ସଂଖ୍ୟା ସମ୍ପର୍କରେ ସବିଶେଷ ତଥ୍ୟ ।

ନିକଟରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ୨୦୧୮ ମସିହାର ବାଘ ଗଣନା ରିପୋର୍ଟ ପ୍ରକାଶିତ ହୋଇଛି। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ) ଓ ବିଭିନ୍ନ ରାଜ୍ୟର ଜଙ୍ଗଲ ବିଭାଗ ଏବଂ ସ୍ୱେଚ୍ଛାସେବୀ ସଂଗଠନ ସହାୟତାରେ ଏହି ଗଣନା କରାଯାଇଥିଲା।

୨୦୧୪ ଗଣନା ଅନୁସାରେ ଦେଶରେ ୨୨୨୬ଟି ବାଘ ଥିଲା ବେଳେ ୨୦୧୮ରେ ଏହି ସଂଖ୍ୟା ୨୯୬୭କୁ ବୃଦ୍ଧି ପାଇଛି। ପ୍ରତି ୪ବର୍ଷରେ ହେଉଥିବା ଗଣନାରେ ୨୦୧୪ ଅପେକ୍ଷା ଦେଶରେ ବାଘ ସଂଖ୍ୟାରେ ଅଭିବୃଦ୍ଧି ଘଟିଛି। ମାତ୍ର ଦୁଖଃ ବିଷୟ ଏହାକି ଯେ, ଓଡିଶାରେ ଏହି ସଂଖ୍ୟା ୪ବର୍ଷ ମଧ୍ୟରେ ବଢ଼ିବା ବଦଳରେ କମିବାରେ ଲାଗିଛି ।

ରାଜ୍ୟର ଶିମିଳିପାଳ ଓ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ମଧ୍ୟ ବାଘ ସଂଖ୍ୟାରେ କୌଣସି ବୃଦ୍ଧି ଘଟିନାହିଁ। ବାଘ ଗଣନା ଲାଗି ଶିମିଳିପାଳରେ ୧୪୧ କ୍ୟାମେରା ଟ୍ରାପ କରାଯାଇଥିଲା। ଏଥିସହ ରାତିରେ ମଧ୍ୟ ବାଘଙ୍କ ଗତିବିଧି ଉପରେ କ୍ୟାମେରା ମାଧ୍ୟମରେ ନଜର ରଖାଯାଇଥିଲା। ଏହି ପ୍ରକ୍ରିୟା ମାଧ୍ୟମରେ ଶିମିଳିପାଳରେ କଳା ବାଘ ଠାବ କରାଯାଇଥିଲା ଯାହାକି ବିଶ୍ୱର ଅନ୍ୟ କେଉଁ ଜଙ୍ଗଲରେ ଦେଖିବାକୁ ମିଳିନାହିଁ। କ୍ୟାମେରା ଜରିଆରେ ଶିମିଳିପାଳରେ ୮ ଓ ସାତକୋଶିଆରେ ଗୋଟିଏ ବାଘ ଠାବ କରାଯାଇଥିଲା। ସେହିପରି ଦେବ୍ରିଗଡ ଅଭୟାରଣ୍ୟରେ ଗୋଟିଏ ବାଘ ଠାବ କରାଯାଇଥିଲା। ବାକି ୧୦ଟି ସ୍ଥାନରେ ବାଘ ନ ଥିବା ଜଣାପଡ଼ିଥିଲା।

ସର୍ଭେ ଅନୁଯାୟୀ, ୨୦୦୨ ମସିହାରେ ଓଡିଶାରେ ୬୦ଟି ବାଘ ଛୁଆକୁ ମିଶାଇ ମୋଟ ୧୯୨ଟି ବାଘ ଥିଲେ। ୧୩୨ଟି ବୟସ୍କ ବାଘ ସଂଖ୍ୟା ହ୍ରାସ ପାଇ ବର୍ତ୍ତମାନ ଏହି ସଂଖ୍ୟା ଏବେ ୨୮ରେ ପହଞ୍ଚିଛି। ଗତ ୧୬ବର୍ଷ ଭିତରେ ରାଜ୍ୟରେ ୧୦୪ଟି ବାଘଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ ପ୍ରକାଶ

ଅନ୍ୟପଟେ ମଧ୍ୟପ୍ରଦେଶରେ ସର୍ବାଧିକ ୨୧୮ଟି ବାଘ ବୃଦ୍ଧି ପାଇଛି। ମହାରଷ୍ଟ୍ରରେ ବାଘ ସଂଖ୍ୟା ୧୯୦ରୁ ୩୧୨, କେରଳରେ ୧୩୬ରୁ ୧୯୦କୁ ବୃଦ୍ଧି ପାଇଥିଲା ବେଳେ ଓଡିଶାରେ ଏହି ସଂଖ୍ୟା ୨୮ ହିଁ ରହିଛି। ଛତିଶଗଡ ଓ ମିଜୋରମରେ ବାଘ ସଂଖ୍ୟା ହ୍ରାସ ପାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ବ୍ୟାଘ୍ର ସଂରକ୍ଷଣ ଓ ବଂଶ ବୃଦ୍ଧି ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଥିଲେ ହେଁ ଓଡିଶାରେ ଏହାକୁ ଆଶାନୁରୂପ ସଫଳତା ମିଳିନାହିଁ। ଏହାର ମୁଖ୍ୟ କାରଣ ହେଉଛି ଅବାଧ ବାଘ ଶିକାର ଓ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା।

Leave a Reply

Your email address will not be published. Required fields are marked *